କଳାହାଣ୍ଡି: ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ମହୁରୀ ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀଶଙ୍କର ନିଆଲ ଭବାନୀପାଟଣା ବ୍ଲକ କର୍ଲାପଡାର ବିମ୍ବାଧର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଦେପୁରର ଧବଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ମୋ ସ୍କୁଲ ଅଭିଯାନ ପକ୍ଷରୁ ଜାରି ହୋଇଥିବା ପତ୍ରରେ ଏହା ସୂଚୀତ ହୋଇଛି। ଏହି ଖବର ଜଣାପଡିବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ତଥା କର୍ଲାପଡା ଓ ଦେପୁରବାସୀ ଶ୍ରୀଯୁକ୍ତ ନିଆଲଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।
ଏହି ଅବସରରେ ଶ୍ରୀଯୁକ୍ତ ନିଆଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏହି ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛି, ଆଗାମୀ ଦିନରେ ଏହି ବିଦ୍ୟାଳୟରେ କିଭଳି ଭିତ୍ତିଭୂମିର ବିକାଶ ହୋଇପାରିବ ଏବଂ ଶିକ୍ଷାଦାନର ମାନ ଓ ପ୍ରକ୍ରିୟା କିଭଳି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ନୂଆ ଦିଶା ପ୍ରଦାନ କରିପାରିବ, ଏହା ଉପରେ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ସମାଜସେବ କ୍ଷେତ୍ରରେ ଶ୍ରୀଯୁକ୍ତ ନିଆଲଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବେ ଅବସ୍ଥାପିତ ହୋଇଥିବାବେଳେ ମହୁରୀ ସମେତ ଅନେକ ପତ୍ର ପତ୍ରିକାର ସଂପାଦନା ସହ ଜଡ଼ିତ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ଭବାନୀଶଙ୍କରଙ୍କ ଅନେକ କବିତା ବିଦେଶୀ ଭାଷାରେ ଅନୁଦିତ ହୋଇଛି ତାଙ୍କୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚିତି ଆଣିଦେଇଛି। ଏହି ଦୁଇଟି ପୁରାତନ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ଶ୍ରୀଯୁକ୍ତ ନିଆଲଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସାଧୁବାଦ ପ୍ରଦାନ କରାଯାଉଛି।