ଟୋଲବ୍ରାହ୍ମଣୀରେ ଆୟୋଜିତ ହେବ ୬୩ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ, ଜାଣନ୍ତୁ ବିସ୍ତୃତ କାର୍ଯ୍ୟସୂଚୀ

କଳାହାଣ୍ଡି: ସଚରାଚର ବିଶ୍ବର ମଙ୍ଗଳବିଧାନ ପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହେଉଛି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମରେ ୬୩ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ମହୋତ୍ସବ-୨୦୨୧ ଆୟୋଜିତ ହେବାକୁ ଯାଉଛି। ବୈଦ୍ୟରାଜ ପବିତ୍ର ଶବରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ତଥା ଗ୍ରାମବାସୀ ଓ ସାଧୁ ଭକ୍ତ ମାନଙ୍କ ସହଯୋଗରେ ସିଦ୍ଧ ରତ୍ନ କୁଟିର ଟୋଲବ୍ରାହ୍ମଣୀ ଠାରେ ମାର୍ଚ୍ଚ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ଏହି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହେବ। ଏଥିରେ ଯାଜ୍ଞିକ ଭାବେ ଲତା ଆଶ୍ରମ ପରିଚାଳନା ସମିତି ମହିମା ଗାଦି ଯୋରନ୍ଦାର ସଭାପତି ବ୍ରହ୍ମ ଅବଧୂତ ଭଗବାନ ବାବା ଓ ସାଧୁ କିଶୋର ଚନ୍ଦ୍ର ଦାସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଅନେକ ମହିମା ସାଧୁ ଓ ତ୍ୟାଗିବୃନ୍ଦ ଯଜ୍ଞ ପରିଚାଳନାରେ ସହଯୋଗ କରିବେ। ମାର୍ଚ୍ଚ ୨୬ ଶୁକ୍ରବାର ସକାଳ ୬ଟାରେ କଳସ ଯାତ୍ରା ଓ ପ୍ରବଚନ, ସନ୍ଧ୍ୟା ୫ଟାରେ ଧୂନି ସ୍ଥାପନ, ୬ଟାରେ ଝାଡବତୀ ପ୍ରଜ୍ଜ୍ୱଳନ ଓ ଆଠ ଭଜନ ଗାନ କରାଯିବ। ଏହି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆକାଶବାଣୀ ଭବାନୀପାଟଣାର ପ୍ରସାରଭାରତୀ ଏବଂ ଜୁନାଗଡ ଜମୁନାବାହାଲର ମହାନ କାଳ୍ପନିକ ନାଟକ ‘ମାମୁଁ ଭାଙ୍ଗିଦେଲା ସୁନା ସଂସାର’ ମଞ୍ଚସ୍ଥ ହେବ। ମାର୍ଚ୍ଚ ୨୭ ଶୁକ୍ରବାର ଦିବା ୧୧ଘଣ୍ଟା ନାମ ଭଜନ ଓ ପ୍ରବଚନ, ସନ୍ଧ୍ୟା ୫ରେ ଝାଜବତୀ ଓ ଆଠ ଭଜନ ଅନୁଷ୍ଠିତ ହେବ। ଏହି ରାତିରେ ଧର୍ମଗଡ ତେନ୍ତୁଲିପଡାର ମହାନ ସାମାଜିକ ନାଟକ ‘ଛୋଟ ଘର ଝିଅ ବଡ ଘର ବୋହୁ’ ମଞ୍ଚସ୍ଥ ହେବ। ମାର୍ଚ୍ଚ ୨୮ ରବିବାର ଦିନ ପୂର୍ଣ୍ଣାହୁତି ସହ ୬୩ତମ ବ୍ରହ୍ମଯଜ୍ଞ ସଂପନ୍ନ ହେବ ବୋଲି ସିଦ୍ଧ ରତ୍ନକୁଟିର ଆଶ୍ରମ ଟୋଲବ୍ରାହ୍ମଣୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.