ବନ’ର ସୁରକ୍ଷା ହେଲେ ମାନବ ଜୀବନ ଭଲ ରହିବ -ଜିଲ୍ଳାପାଳ ରାୟଗଡ
ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ବନଖଣ୍ଡ ସୈାଜନ୍ୟତାରେ ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଜିଲ୍ଳାସ୍ତରୀୟ ବିଶ୍ୱ ବନ ଦିବସ-୨୦୨୧ ପାଳିତ ହୋଇଯାଇଛି । ରାୟଗଡ ଜିଲ୍ଳା ବନଖଣ୍ଡିୟ ଅଧିକାରୀ ଅଶ୍ୱିନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ପିଡି-ଡିଆରଡିଏମ ମହେଶ୍ୱର ନାଏକ, ଗୁଣପୁର ବ୍ଳକ ଚିନାସାରି ଗ୍ରାମ ପଂଚାୟତ ସରପଂଚ ନିର୍ମଳା ମଣ୍ଡଳ ଓ ଜମ୍ବୁ ବନ ସୁରକ୍ଷା ସମିତି ସଭାପତି ଡମ୍ବୁରୁଧର ତାଡିଙ୍ଗି ପ୍ରମୁଖ ମଂଚାସୀନ ହୋଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟମାନେ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଦିବସ ପାଳନ ଅବସରରେ ଏନଜିଓ କର୍ମୀ ବ୍ରଜ ପ୍ରଧାନ ଜଙ୍ଗଲରେ ନିଆଁ ଲାଗିବା ପରବର୍ତୀ ଘଟଣା ଉପରେ ଏକ ସୁନ୍ଦର ସଚେତନତା ଗୀତଟିଏ ଗାନ କରିଥିଲେ । ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକେ ଜଙ୍ଗଲଜାତ୍ର ଦ୍ରବ୍ୟ ସଂଗ୍ରହ କରି ତାହାକୁ ବିକ୍ରିବଟା କରି ନିଜର ଜୀବନଜୀବିକା ନିର୍ବାହ କରୁଥିବା ବେଳେ ପୋଡୁ ଚାଷ ଓ ଜଙ୍ଗଲି ଯନ୍ତୁ ଶୀକାର କରିବା ଉଦ୍ଦେଶ୍ୟରେ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି । ଫଳରେ ସମସ୍ତ ଫଳନ୍ତି ଗଛଗୁଡିକ ନଷ୍ଟ ହେବା ସହ ଜଙ୍ଗଲି ଯନ୍ତୁଗୁଡିକ ମରିଯାଇଥାନ୍ତି ଯାହାଦ୍ୱାରା ପରିବେଶରେ ସନ୍ତୁଳନ ବିଗିଡିବା ଦ୍ୱାରା ଏହାର କୁପ୍ରଭାବ ମାନବ ସମାଜ ଉପରେ ପଡିଥାଏ ବୋଲି ବନଖଣ୍ଡିୟ ଅଧିକାରୀ ଶ୍ରୀ କର ପ୍ରକାଶ କରିଥିଲେ । ସେହିପରି ସମ୍ମାନୀୟ ଅତିଥି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ମଧ୍ୟ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ପରିବେଶ ଓ ପର୍ଯ୍ୟାବରଣକୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପକୁ ସମସ୍ତେ ମାନି ଚଳିଲେ ହିଁ ଆଗାମୀ ଭବିଷ୍ୟତରେ ସମସ୍ତେ ସୁରକ୍ଷିତ ହୋଇ ରହିପାରିବା ନଚେତ୍ ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇପଡିବ ବୋଲି ମତ ପ୍ରକାଶ କରିଥିଲେ ।
ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପ୍ରଥମେ ଜଙ୍ଗଲରେ ନିଆଁ ଲଗାଇବାରୁ ନିବୃତ ରହିବା ଏବଂ ଜଙ୍ଗଲରେ ରହୁଥିବା ଜୀବଜନ୍ତୁକୁ ବଂଚିବାକୁ ଦେଲେ ସମସ୍ତ ଜଙ୍ଗଲ ଆପେ ଆପେ ବୃଦ୍ଧି ପାଇବ ଯାହାଫଳରେ ପରିବେଶ ସନ୍ତୁଳନରେ ସମାନ୍ତରଳତା ରହିବ ଏବଂ ସମସ୍ତ ମାନବ ସମାଜ ଏକ ସୁ୍ସ୍ଥ ପରିବେଶରେ ନିଜର ଜୀବନ ବିତାଇପାରିବେ । ଯଦି ଏହାର ବିପରୀତକୁ ଯାଇ ସଚେତନତା ଅଭାବରୁ ଯଦି ଜଙ୍ଗଲରେ ନିଆଁ ଲଗାଇବା ଓ ଜୀବଜନ୍ତୁଙ୍କ ଶୀକାର କରିବା ଏବଂ ବୃକ୍ଷରୋପଣ ନ କରିବା ତେବେ ଆମେ ଆମ ପାଇଁ ବିପଦକୁ ଟାଣି ଆଣିବା ତେଣୁ ଏବେ ଠାରୁ ଆମକୁ ସତର୍କ ରହିବାକୁ ପଡିବ ଏବଂ ଯେତିକି ଆବଶ୍ୟକ ସେତିକି ପରିମାଣର ଦ୍ରବ୍ୟ ଜଙ୍ଗଲରୁ ସଂଗ୍ରହ କରିବା ଏବଂ ନିଆଁ ଲଗାଇବା ନାହିଁ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନେ ନିଜ ଅଭିଭାବକମାନଙ୍କୁ ଜଙ୍ଗଲର ସୁରକ୍ଷା ସମ୍ବନ୍ଧରେ ଏବଂ ବନର ଉପକାରିତା ବିଷୟରେ ସଚେତନ କରାଇଲେ ବନ’ର ସୁରକ୍ଷା ହେଲେ ମାନବ ଜୀବନ ଭଲ ରହିବ ବୋଲି ପ୍ରକାଶ କରିଥିଲେ ।
ବିଶ୍ୱ ବନ ଦିବସ ଅବସରରେ ରାୟଗଡ ଜିଲ୍ଳାର ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଓ ଗୁଣପୁରର ଆଦର୍ଶ ବିଦ୍ୟାଳୟକୁ ବୃକ୍ଷରୋପଣ ଦିଗରେ ଦୃଷ୍ଟାନ୍ତୂମଳକ ପଦକ୍ଷେପ ଗ୍ରହଣ କରିଥିବାରୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଜଙ୍ଗଲ ସୁରକ୍ଷା ଓ ସଚେତନତା ନିମନ୍ତେ ଗୁଣପୁର ବ୍ଳକ ଚିନାସାରି ଗ୍ରାମ ପଂଚାୟତକୁ ଶ୍ରେଷ୍ଠ ପଂଚାୟତ ଭାବେ ପୁରସ୍କୃତ କରାଯାଇଥିଲା । ସେହିପରି ବିଷମକଟକ ବ୍ଳକ ଚାଟିକୋଣାର ମାଳତୀ ବିଡିକା, ରାମନାଗୁଡା ବ୍ଳକ ସୋରିଷପଦର ଗ୍ରାମର ଶୋଭା ପିରିବାକା, ମୁନିଗୁଡା ବ୍ଳକ ସଦର ଗୁଣ୍ଡିଚା ନଗରର ପ୍ରମୋଦ କୁମାର ସାହୁକାର ଓ ଚନ୍ଦ୍ରପୁର ବ୍ଳକ ଡାଙ୍ଗସୋରଡା ଗ୍ରାମର ବିଜୟ ପ୍ରସାଦ ଉଲାକା ୪ଜଣଙ୍କୁ ପ୍ରକୃତି ବନ୍ଧୁ ଭାବେ ପୁରସ୍କୃତ କରାଯାଇଥିଲା । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ରାୟଗଡର ଜମ୍ବୁ ବନ ସଂଗ୍ରକ୍ଷଣ ସମିତିକୁ ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବେ ପୁରସ୍କୃତ କରାଯାଇଥିବା ବେଳେ ରାୟଗଡ ରେଂଜର ପାରା ଫରେଷ୍ଟ ସଦସ୍ୟ ରଂଜୁ ବିଡିକା ଓ ଫାଏର ୱାଚ ସଦସ୍ୟ ରାମାରାଓ ପିରିବାକା ଓ ତାପସ ତାଡିଙ୍ଗିଙ୍କୁ ମଧ୍ୟ ଜିଲ୍ଳାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡ ବନଖଣ୍ଡର ଜିଲ୍ଳାସ୍ତରୀୟ ଅଧିକାରୀ, ବନ ସୁରକ୍ଷା ସମିତି ସଦସ୍ୟସଦସ୍ୟାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।