୧୦୦କୁ ଡାଏଲ କରିବା ପରେ ରେଳବାଇ ସୁରକ୍ଷା କର୍ମୀ କଲେ ଉଦ୍ଧାର
ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ରେଳବାଇ ଷ୍ଟେସନ ପରିସରର ପ୍ଳାଟଫର୍ମ ନମ୍ବର ୨ରେ ଥିବା ଲିଫ୍ଟରେ ୨୦ମିନିଟ୍ ଧରି ଫଶି ରହିଥିଲେ ଜଣେ ମହିଳା ଯାତ୍ରୀ । ପରେ ସେ ନିଜ ମୋବାଇଲରୁ ୧୦୦ ନମ୍ବରକୁ ଡାଏଲ କରିବା ପରେ ରାୟଗଡ ଟାଉନ ଥାନାରୁ ରେଳବାଇ ଆରପିଏଫ ପୋଲିସକୁ ଯୋଗାଯୋଗ କରାଯିବା ପରେ ଯାତ୍ରୀ ଜଣଙ୍କୁ ସୁରକ୍ଷା କର୍ମୀମାନେ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ମହିଳା ଯାତ୍ରୀ ଜଣକ ହେଲେ ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ପୂଜାରିଗୁଡା ଗ୍ରାମ ପଂଚାୟତ ଅର୍ନ୍ତଗତ ରାଉତପାରିଡିଗୁଡା ଗ୍ରାମର ଆତୁଡୁ ପ୍ରଭା । ତାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ତାମିଲନାଡୁ ରାଜ୍ୟର ନ୍ୟିୁ ତିରୁପୁରର ଏପ୍ରିଲ ପାର୍କରେ ରହି ସିଲେଇ କାରଖାନାରେ କାର୍ଯ୍ୟରତ ଥିଲେ । ସେ ଆଲିପେ-ବୋକାରୋ ଏକ୍ସପ୍ରେସ ଟ୍ରେନ୍ ଯୋଗେ ଯାତ୍ରା କରି ଆଜି ରାୟଗଡ ରେଳ ଷ୍ଟେସନ ପ୍ଳାଟଫର୍ମ ନମ୍ବର ୨ରେ ଓହ୍ଳାଇଥିଲେ । ପରେ ପ୍ଳାଟଫର୍ମ ୨ରେ ଥିବା ଲିଫ୍ଟ ମାଧ୍ୟମରେ ପ୍ଳାଟଫର୍ମ ୧କୁ ଆସିବା ପାଇଁ ଲିଫ୍ଟ ଭିତରକୁ ଯାଇ ୧ନମ୍ବର ବଟନକୁ ଚିପି ଉପରକୁ ଆସୁଥିଲେ ।
ତେବେ ଦୀର୍ଘ ୨୦ମିନିଟ୍ ଧରି ଲିଫ୍ଟ ନ ଖୋଲିବାରୁ ସେ ଭୟଭୀତ ହୋଇ ଅନ୍ୟ କୈାଣସି ଉପାୟ ନ ପାଇ ସଙ୍ଗେ ସଙ୍ଗେ ନିଜ ମୋବାଇଲ ଫୋନରୁ ୧୦୦ନମ୍ବରକୁ ଡାଏଲ କରିଥିଲେ । ଯାହାକି ରାୟଗଡ ଟାଉନ ଥାନାର ସବଇନ୍ସପେକ୍ଟର ସୁଶାନ୍ତ କୁମାର ଶତପଥି କଲଟିକୁ ରିସିଭ କରି ତୁରନ୍ତ ଆରପିଏଫ ଥାନା ଅଧିକାରୀ ଡି.ଏନ.ତ୍ରିଲୋକଙ୍କୁ ଜଣାଇଥିଲେ । ଖବର ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶ୍ରୀ ତ୍ରିଲୋକ କନଷ୍ଟେବଳ ସୁଧାଂଶୁ ଶେଖର ନାୟକଙ୍କୁ ଜଣାଇବା ପରେ କନେଷ୍ଟବଳ ଶ୍ରୀ ନାୟକ ଲିଫ୍ଟ ନିକଟକୁ ଯାଇ ବାହାର ବଟନକୁ ଚିପିବାରୁ ଲିଫ୍ଟ ଦ୍ୱାରଟି ଖୋଲିଥିଲା । ତେବେ ଯାନ୍ତ୍ରିତ ତ୍ରୁଟି ଯୋଗୁଁ ଏପରି ହୋଇପାରେ ବୋଲି ପୋଲିସ ଅନୁମାନ କରୁଥିବା ବେଳେ ଯଥାଶୀଘ୍ର ଟେକ୍ନିସିଆନକୁ ଯୋଗାଯୋଗ କରି ସମସ୍ୟାର ସମାଧାନ କରାଯିବ ବୋଲି ଆଇଆଇସି ଶ୍ରୀ ତ୍ରିଲୋକ ପ୍ରକାଶ କରିଛନ୍ତି ।