୨ଦିନ ହେଲା ଯୁବକ ନିଖୋଜ, ପରିବାର ଆଣିଲା ହତ୍ୟା ଅଭିଯୋଗ

ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲମୁଣ୍ଡା ବ୍ଳକ ରେଗେଡା ଗ୍ରାମର ଜନୈକ ଯୁବକ ଦୁଇଦିନ ହେଲା ନିଖୋଜ ଥିବାବେଳେ ତାଙ୍କୁ ହତ୍ୟାକରି ପୋତି ଦିଆଯାଇଛି ବୋଲି ନିଖୋଜ ଯୁବକଙ୍କ ଭାଇ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନା ଆଧାରରେ ରେଗେଡା ଗ୍ରାମର ଦୁର୍ଯ୍ୟୋଧନ କମ୍ପ ଅଭିଯୋଗ କରୁଛନ୍ତି ଯେ, ତାଙ୍କ ଭାଇ ଶେଷଦେବ କମ୍ପ(୩୦) ଗତ ୧୦ ତାରିଖ ମଧ୍ୟାହ୍ନରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖଲିଆପାଲି ଗ୍ରାମର ଜନୈକ ବ୍ୟକ୍ତି ‘ତୋ ଭାଇକୁ ମୁଁ ମାରି ଜେସିବିରେ ଗାତ ଖୋଳି ପୋତି ଦେଇଛି’ ବୋଲି କୁଆଡେ କହିଥିଲେ। ଦୁର୍ଯ୍ୟୋଧନ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଖଲିଆପାଲିର ଜଣେ ଓ ଯମୁନାପୁର ଗାଁର ଜଣେ ବ୍ୟକ୍ତି ତାଙ୍କ ସାଙ୍ଗମାନଙ୍କ ସହ ମିଶି ଭାଇଙ୍କୁ ମାରିଦେଇଛନ୍ତି। ମ.ରାମପୁର ଥାନାରେ ଏନେଇ ଏକ ଏତଲା ଦାଏର ହୋଇଥିବା ଏଏସଆଇ ଦାସିଆ ସେଠ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାଇ ୨ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚାଲିଛି ବୋଲି ପୁଲିସ କହିଛି। ତେବେ ଘଟଣାର ୨ ଦିନ ବିତିଯାଇଥିଲେ ମଧ୍ୟ ନିଖୋଜ ଯୁବକର ପତା ମିଳିନାହିଁ। ତାକୁ ହତ୍ୟା କରାଯାଇଥିବା ନେଇ ନିଖୋଜ ଯୁବକଙ୍କ ଭାଇ ସିଧାସଳଖ ଅଭିଯୋଗ କରୁଥିଲେ ମଧ୍ୟ ଏଯାଏଁ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରି ନାହିଁ। ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.