ଏବେ ଦ୍ବାର ମୁହଁରେ ରାଜସ୍ବ ସେବା, ଦୈଡିବାକୁ ପଡ଼ିବନି ତହସିଲ ଅଫିସ

କଳାହାଣ୍ଡି, (ହେମନ୍ତ ସାହୁ): ‘ରାଜସ୍ୱ ସେବା ଏବେ ଆମ ଗାଁରେ’ ଭଳି ଏକ ସୁନ୍ଦର ନାରା ଦେଇ ରାଜସ୍ୱ ସେବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଠାରେ ମଧ୍ୟ ଏହି ରାଜସ୍ୱ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ ତହସିଲଦାର ସୟଦ ଇସାକ ମଦିନା କରିଛନ୍ତି । ଏହି ରାଜସ୍ୱ ରଥର ଶୁଭାରମ୍ଭ କରିବାକୁ ଯାଇ ସେ କହିଛନ୍ତି, ଏବେ ବିଶ୍ୱମହାମାରୀ କରୋନାରୁ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଏବଂ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁକୁ ସଫଳ କରିବାକୁ ସରକାର ରାଜସ୍ୱ ସେବାକୁ ଏବେ ଗାଁରେ ପହଂଚାଇବାର ପ୍ରଚେଷ୍ଠା କରିଛନ୍ତି ଯାହା ଏକ ସୁନ୍ଦର ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଏହି ରଥ ଜରିଆରେ ଗାଁରେ ଲୋକଙ୍କ ପାଖକୁ ଯାଇ, ବିବିଧ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ଜମି ପଟ୍ଟା ଯାହା ସବୁ ପାଇବାକୁ ରାଜସ୍ୱ ନିରୀକ୍ଷକ, ତହସିଲ କାର୍ଯ୍ୟାଳୟ ତଥା ଜନସେବା କେନ୍ଦ୍ରକୁ ଯିବାକୁ ପଡ଼ୁଛି, ସେଥିରୁ ଲୋକଙ୍କୁ ମୁକ୍ତ କରାଯାଇ କରୋନା ମହାମାରୀ ସମୟରେ ଘରେ ରହିବାକୁ ସୁଯୋଗ ଦିଆଯିବ । ତହସିଲଦାର ଶ୍ରୀ ମଦିନାଙ୍କ ନେତୃତ୍ୱରେ ପ୍ରଥମ ଦିବସରେ ମ.ରାମପୁର, ଝାଲିଆଗୋଭା, ଆମ୍ବଗାଁ, ପଣ୍ଡକାମାଲ ଗ୍ରାମକୁ ଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ନିରୀକ୍ଷକ ତପୋବନ ବାରିକ, ରାଜସ୍ୱ ନିରୀକ୍ଷକ ରଞ୍ଜିତା ପଧାନ, ମୁନସିରାମ ମାଝୀ, ବରିଷ୍ଠ ରାଜସ୍ୱ ସହାୟକ ସୁରେଶଚନ୍ଦ୍ର ମାଣ୍ଡେସ, ରେକର୍ଡ଼ କିପର ଯୋଗେଶ୍ୱର ପୋଢ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏହି ରଥ ଜରିଆରେ ଗାଁରେ ରାଜସ୍ୱ ସେବା ପହଂଚିପାରୁଥିବାରୁ ହିତାଧିକାରୀମାନେ ସେବାପ୍ରଦାନକାରୀଙ୍କ ପାଖରେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ କରୋନା ସମୟ ତଥା ଲକଡ଼ାଉନ ସମୟରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.