ପୁସ୍ତକ ସମୀକ୍ଷା: ଅନନ୍ୟ ଅନୁବାଦର ଅମଳିନ ସ୍ୱାକ୍ଷର

✒️ଦେବାଶିଷ ମହାପାତ୍ର

ପୁସ୍ତକ: ସଫଦର ହାସମୀ: ଦୁଇ ପଥପ୍ରାନ୍ତ ନାଟକ-ହଲ୍ଲାବୋଲ, ହତ୍ୟାରେ ଓ ଆଉ କେତୋଟି କବିତା
ଅନୁବାଦ: ମୃଣାଳ
ପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସ, ଢେଙ୍କାନାଳ
ପୃଷ୍ଠା: ୮୪ । ମୂଲ୍ୟ: ୧୦୦ ଟଙ୍କା

ଅନେକ ଦିନ ପରେ ଅନୁବାଦର ଏକ ଅନନ୍ୟ ନମୁନା ପଢ଼ିବାର ସୁଯୋଗ ପାଇଲି । ଭାବ ଓ ଭାଷା, ଉଭୟ ଦୃଷ୍ଟିରୁ ବହିଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଲା । ଏ ଅନୁବାଦ ସତରେ ନିଆରା । ଭାଷା ସରଳ ଓ ସାବଲୀଳ, ଶୈଳୀଟି ଖୁବ୍‍ ମନଛୁଆଁ । ସାମ୍ୟ, ମୈତ୍ରୀ ଆଉ ବିଶ୍ୱ ଭ୍ରାତୃତ୍ୱର ସ୍ୱପ୍ନ ଦେଖିଥିବା ବହୁମୁଖୀ ବ୍ୟକ୍ତିତ୍ୱ ସଫଦର ହାସମୀଙ୍କ ମୂଳ ହିନ୍ଦୀ ରଚନା ଦୁଇଟି ପଥପ୍ରାନ୍ତ ନାଟକ ‘ହଲ୍ଲାବୋଲ’ ଓ ‘ହତ୍ୟାରେ’ ସହ କେତୋଟି କବିତାର ଅନୁବାଦ କରିଛନ୍ତି ଆମ ସମୟର ଜଣେ ଆଗଧାଡି଼ର ସ୍ତମ୍ଭକାର, ଲେଖକ ଓ ଅନୁବାଦକ ମୃଣାଳ । କେତେ ସୁନ୍ଦର ଭାବରେ, ନିଜ ବାଗରେ, ବଢ଼ିଆ ଭାଷାରେ ସେ ଅନୁବାଦ କରିଛନ୍ତି ତାହା ବହିଟି ପଢ଼ିଲାପରେ ଅନୁଭବ କରିହୁଏ ।

ସଫଦରଙ୍କ ନାଟକଗୁଡି଼କର ମୁଖ୍ୟ ସ୍ୱର ହେଲା- ସମାଜର ଅବହେଳିତ ଓ ଶୋଷିତ ବର୍ଗର ସମସ୍ୟା ବିରୋଧରେ ଶାଣିତ ସ୍ୱରଉତ୍ତୋଳନ । ଏ ପୁସ୍ତକର ଦ୍ୱିତୀୟ ସଂସ୍କରଣ ଅବସରରେ ମୃଣାଳ ଯଥାର୍ଥରେ କହନ୍ତି- ‘ସେ ନାହାନ୍ତି ସତ, ହେଲେ ତାଙ୍କ ସ୍ୱପ୍ନ ରହିଛି । ସ୍ୱପ୍ନର ମୃତ୍ୟୁ ନାହିଁ । ଗୋଟିଏ ଆଖିରୁ ତାହା ଅନ୍ୟ ଆଖିକୁ, ଗୋଟିଏ ହୃଦୟରୁ ତାହା ଅନ୍ୟ ହୃଦୟକୁ ପ୍ରସାରିତ ହୋଇଥାଏ ।’

ଏଥର ଅନୁବାଦକୁ ଯିବା । ମୂଳ ରଚନା ଭଳି ଏ ଅନୁବାଦ ବି କିଭଳି ମନକୁ ଛୁଇଁଯାଏ କେତୋଟି ଉଦାହରଣ ଦିଆଯାଉ- ‘ଆମେ ଡ୍ରାମା ଯେମିତି ହୁଏ, ସେମିତି କରିବୁ, ଏଇ ପ୍ୟାର୍‍ ମହବତ୍‍ର ଡ୍ରାମା, ପ୍ରେମିକ ପ୍ରେମିକାର ଡ୍ରାମା’ ।(ହତ୍ୟାରେ) ‘ମୁଠେ ଭାତପାଇଁ ଦିନରାତି ଯାକୁ ପରିଶ୍ରମ କରିବାକୁ ପଡ଼େ ସେ ଯେ କୌଣସି ଧର୍ମର ମଣିଷ ହେଉନା କାହିଁକି- ଆପଣଙ୍କ ଶତ୍ରୁ ହୋଇନପାରେ ।’(ହଲ୍ଲାବୋଲ) ସଫଦରଙ୍କ ଚରିତ୍ର ଉପଯୋଗୀ ସଂଳାପକୁ ଯଥାର୍ଥ ଭାବେ ଓଡି଼ଆରେ ରୂପାନ୍ତର କରିଛନ୍ତି ମୃଣାଳ ।

କବିତା ବିଭାଗରେ ନୂଆ କଥାଟେ ଲକ୍ଷ୍ୟ କରାଯାଇପାରେ । ମୂଳ ହିନ୍ଦୀ ଅବିକଳ ଦିଆଯାଇଛି । ତା’ ପାଖରେ ଅଛି ଅନୁଦିତ କବିତା । ପ୍ରଥମ କବିତା: ‘ସ୍ୱାଧୀନତା’

‘ଲାଲକିଲ୍ଲା ଆଖ ପାଖରେ ବସିଛି
ସ୍ୱାଧୀନତାର ମେଳା
ସବୁଠୁ ଉପରେ ନାଚୁଛି ଏକୁଟିଆ ତ୍ରିରଙ୍ଗା ।’

ସେମିତି ଆଉ ଗୋଟେ ପଦ ଦେଖନ୍ତୁ-

‘ବହି କିଛି କହିବାକୁ ଚାହେଁ
ବହି ତମ ପାଖରେ ରହିବାକୁ ଚାହେଁ’

ବହିଟି ବହୁ ଦୃଷ୍ଟିରୁ ଭିଡ଼ ଭିତରୁ ବାରି ହେବା ଭଳି ବହିଟିଏ । ଏଥିରେ ନାଟକ ଅଛି, କବିତା ଅଛି । ଅଛି ବି ଉଦୟ ପ୍ରକାଶଙ୍କ ସଫଦରଙ୍କୁ ଶ୍ରଦ୍ଧାଞ୍ଜଳି କବିତା । ଏ କବିତାର ଧାଡି଼ ଗୁଡି଼କ ବି ଖୁବ୍‍ ହୃଦୟସ୍ପର୍ଶୀ-

‘ହଁ, ସେମାନଙ୍କୁ ଖୋଜ ନିଶ୍ଚୟ
ସବୁ ଚେହେରାକୁ ଭଲ ଭାବେ ଦେଖ
ହେଲେ ତାଙ୍କ ପାଇଁ କାନ୍ଦନାହିଁ
କାନ୍ଦିକି ସେମାନଙ୍କୁ ହଜେଇ ଦିଅନାହିଁ
ସେ ଏଇଠି କେଉଁଠି ଅଛନ୍ତି
ସେ ଏଇଠି କେଉଁଠି ଅଛନ୍ତି ।’

ମୂଳ ହିନ୍ଦୀକୁ ସଫଳତାର ସହ ଓଡି଼ଆ ରୂପାନ୍ତର କରିଛନ୍ତି ଅନନ୍ୟ ଅନୁବାଦକ ମୃଣାଳ । ଜିତେନ୍ଦ୍ର ପତିଙ୍କ ପ୍ରଚ୍ଛଦ ବି ଚମତ୍କାର ।

ଏତିକି କୁହାଯାଇପାରେ, ସାମଗ୍ରିକ ଭାବେ ଏ ବହିଟି ଅନନ୍ୟ ଅନୁବାଦର ଅମଳିନ ସ୍ୱାକ୍ଷର ।

[ସମୀକ୍ଷକ ଭୁବନେଶ୍ୱରସ୍ଥିତ ପୂର୍ବାଞ୍ଚଳ ଭାଷାକେନ୍ଦ୍ରରେ ଭାଷା ପ୍ରଶିକ୍ଷକ ଅଛନ୍ତି ।]
ଲକ୍ଷ୍ମୀସାଗର, ଭୁବନେଶ୍ୱର-୭୫୧୦୦୬

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.