ରାୟଗଡର ଓଭରବ୍ରିଜ: ଉଠିଲାଣି ପିଚୁ, ରାସ୍ତାରେ ଖାଲଖମା, ଅନାବନା ଗଛରେ ଭରି ହେଲାଣି ପାଚେରୀ ପାର୍ଶ୍ଵ

ରାୟଗଡ, (ଶିବ ନାରାୟଣ ଗୈାଡ): ୩୨୬ନମ୍ବର ଜାତୀୟ ରାଜପଥରେ ରହିଛି ରାୟଗଡ ସହରର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ୍ । ରାଂଚି-ବିଜୟୱାଡା କରିଡର ଓ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ ଦ୍ୱାରା ଉପକୂଳ ଓ ପଶ୍ଚିମ ଓଡିଶା ସମେତ ପଡୋଶୀ ଆନ୍ଧ୍ର, ଛତିଶଗଡ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ ,ଗଜପତି ଆଦି ସ୍ଥାନକୁ ରାୟଗଡ ସହରର ଓଭରବ୍ରିଜ ଦେଇ ଦୈନିକ ଶତାଧିକ ମାଲବାହୀ ଟ୍ରକ,ଯାତ୍ରୀବାହୀ ବସ ସହ ଅନ୍ୟାନ୍ୟ ମୋଟର ଯାନଗୁଡିକ ଯାତାୟାତ କରିଥିାନ୍ତି ।


ତେବେ ଏହାର ରକ୍ଷାଣବେକ୍ଷଣ ଓ ମରାମତି ଅଭାବରୁ ଏବେ ଉଠିଲାଣି ପିଚୁ ଓ ରାସ୍ତାରେ ଖାଲଖମା ଓ ସୁରକ୍ଷା ପାଚେରୀ ତଳେ ତଥା ପାଶ୍ୱର୍ରେ ଉଠିଛି ଅନାବନା ଗଛଲତା । ଫଳରେ ଓଭରବ୍ରିଜର ସୁରକ୍ଷା ନେଇ ଉଠୁଛି ପ୍ରଶ୍ନ । ଗତବର୍ଷ ଓଭରବ୍ରିଜର ଅନେକ ସ୍ଥାନରେ ଲୁହାଛଡ ଓ ମେଟାଲଗୁଡିକ ଉଠି ପଡିଥିବାରୁ ବଡ ବଡ ଖାଲଖମାଗୁଡିକରେ ଯାତାୟାତ କରି ହନ୍ତସନ୍ତ ହୋଇଥିଲେ ଗାଡିଚାଳକ ।


ଏ ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରସାରଣ ପରେ ଗତ ୨୦୨୦ ମାର୍ଚ୍ଚ ମାସ ଶେଷରେ ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ଏହାର ମରାମତି କରାଯାଇଥିଲା । ତେବେ ପୁଣି ଏକ ବର୍ଷ ନ ପୁରୁଣୁ ପୁର୍ବାବସ୍ଥାକୁ ଫେରି ଆସିଲାଣି ଓଭରବ୍ରିଜ । ମରାମତି ନିମନ୍ତେ ଗତ ବର୍ଷ ଖାଲଖମାଗୁଡିକରେ ପକା ଯାଇଥିବା ପିଚୁ ଏବେ ଉଠିଯିବା ସହ ପିଚୁଗୁଡିକ ରାସ୍ତା କଡରେ ଢେପ ଆକାର ନେବା ଫଳରେ ଯାତାୟାତାରେ ଏବେ ଅସୁବିଧା ଉପୁଜୁଛି । ଓଭରବ୍ରିଜର ଖାଲଖମାକୁ କଂକ୍ରିଟରେ ପୂରଣ ନ କରି କେବଳ କ୍ରସର ଡଷ୍ଟ ପକାଇ ଦେଇ ପେଚ୍ ୱାର୍କ କରି ନିଜ ହାତ ଝାଡି ଦେଉଛନ୍ତି ଜାତୀୟ ରାଜପଥ ବିଭାଗ ।


ଓଭରବ୍ରିଜର ରକ୍ଷାଣବେକ୍ଷଣ ଓ ମରାମତି ସମ୍ବନ୍ଧରେ ଏ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ଉପ-ବିଭାଜନ, ରାୟଗଡର କନିଷ୍ଠ ଯନ୍ତ୍ରୀ କିଶୋର ସିଂହଙ୍କୁ ପଚାରିବାରୁ ଲକଡାଉନ କଟକଣା ଯୋଗୁଁ ଏବେ ଓଭରବ୍ରିଜର ମରାମତି ତଥା ରକ୍ଷାଣବେକ୍ଷଣ କରିବା ଅସୁବିଧା ହେଉଥିବା କହିଛନ୍ତି । ଠିକାଦାର ଓ ରାଜପଥ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଓଭରବ୍ରିଜରେ ହେଉଥିବା କାର୍ଯ୍ୟ ଅତି ନିମ୍ନମାନର ବୋଲି ସହରବାସୀ ପୂର୍ବରୁ ଅଭିଯୋଗ କରି ଆସୁଥିବା ବେଳେ ପକ୍କା କାର୍ଯ୍ୟ କରିବା ଦିଗରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯିବା ପାଇଁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.