ଫକୀରମୋହନ ଫାଉଣ୍ଡେସନ ପକ୍ଷରୁ ଆବୃତ୍ତି କର୍ମଶାଳା

ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ, ନୂଆଦିଲ୍ଲୀ ଏବଂ ଓଡ଼ିଶା ଶାଖା ଆନୁକୂଲ୍ୟରେ ତ୍ରିଦିବସୀୟ କବିତା ଆବୃତ୍ତି ତାଲିମ(କର୍ମଶାଳା) ଆରମ୍ଭ ହେଇଯାଇଛି । ନୂଆପିଢ଼ିଙ୍କ ମଧ୍ୟରେ କାବ୍ୟିକ ନାନ୍ଦନିକତା ସଞ୍ଚାର କରାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ପ୍ରାରମ୍ଭିକ ପରିଚୟ ଦେଇଥିଲେ ଫାଉଣ୍ଡେସନ, ଓଡ଼ିଶା ଶାଖାର ମହାସଚିବ ଡ. ରବୀନ୍ଦ୍ରକୁମାର ଦାସ। ସଭା ସଂଚାଳନ କରିଥିଲେ ମହାନିର୍ଦ୍ଦେଶିକା ଡ. ହିରଣ୍ମୟୀ ମିଶ୍ର । ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ବ୍ୟାସକବିଙ୍କ ଅଣନାତୁଣୀ ମନିକା ଦାସ ଫାଉଣ୍ଡେସନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଗୋପବନ୍ଧୁ ଚେୟାର, କିସ୍ ବିଶ୍ଵବିଦ୍ୟାଳୟ , ଭୁବନେଶ୍ୱରର ପ୍ରଫେସର ଡ. ବିଜୟାନନ୍ଦ ସିଂହ । ସେ ତାଙ୍କ ଉଦଘାଟନୀ ଅଭିଭାଷଣରେ କବିତା ଆବୃତ୍ତି ଯେ ଏକ ଅନନ୍ୟ କଳା , ସେ ବିଷୟରେ ମତ ପ୍ରକାଶ କରିଥିଲେ । ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ କବି ଶ୍ରୀ ରକ୍ଷକ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ସୁନ୍ଦର ଆବୃତ୍ତି ମାଧ୍ୟମରେ ସାଧାରଣ କବିତା ମଧ୍ୟରେ ଅସାଧାରଣର ସନ୍ଧାନ କରାଯାଇପାରେ l ସଭା ପରେ ଆୟୋଜିତ ପ୍ରଶିକ୍ଷଣ ସମ୍ପାନକୁ ସଂଯୋଜନା କରିଥିଲେ ସିଙ୍ଗୁର ସରକାରୀ ମହାବିଦ୍ୟାଳୟ, କୋଲକାତାର ଡ. ମୁନମୁନ ଘୋଷ l ଏଥିରେ ପ୍ରଶିକ୍ଷଣ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ଉଭୟ ପୂର୍ବବଙ୍ଗ ଏବଂ ପଶ୍ଚିମବଙ୍ଗର ବିଶିଷ୍ଟ କବି ତଥା ଆବୃତ୍ତି ଶିଳ୍ପୀ ଶ୍ରୀ ରାମଚନ୍ଦ୍ର ପାଲ । ଉଭୟ ଓଡ଼ିଆ ଏବଂ ବଙ୍ଗଳା କବିତା ଆବୃତ୍ତି କ୍ଷେତ୍ରରେ ଶିକ୍ଷାର୍ଥୀମାନେ କିଭଳି ପାରଙ୍ଗମତା ଅର୍ଜନ କରିପାରିବେ, ସେ ବିଷୟରେ ଶ୍ରୀ ପାଲ ବିଶେଷ ସୂଚନା ଦେଇଥିଲେ । କବିତା ଆବୃତ୍ତିର ନମୁନା ଭାବରେ ସେ ଆବୃତ୍ତି କରିଥିଲେ ବିଶ୍ଵକବି ରବୀନ୍ଦ୍ରନାଥଙ୍କ କବିତା । ଫିଡ଼୍ ବ୍ୟାକ୍ ଗ୍ରୁପରେ ଥିଲେ ନିରୁପମା ପଧାନ, ବିଶ୍ବରଂଜନ ମହାନ୍ତି, ବୈଶାଖୀ ପ୍ରିୟଦର୍ଶିନୀ ସାହୁ ଏବଂ ଯଶସ୍ୱିନୀ ସାହୁ । ନିରୁପମା ପଧାନ କାର୍ଯ୍ୟକ୍ରମର ଅନ୍ତିମ ନିଷ୍କର୍ଷ ଉପସ୍ଥାପନ କରିଥିଲେ । ସୁଦୂର କାନାଡ଼ାରୁ ସୁନନ୍ଦା ପଣ୍ଡା, ଆମେରିକାରୁ ପ୍ରଭାତ ନଳିନୀ ପଟ୍ଟନାୟକ, ଦିଲ୍ଲୀରୁ ଡ. ଅନୀତା ପଣ୍ଡା, ଆଇଆଇଟି ଖଡ଼ଗପୁରରୁ ପ୍ରଦୀପ ଚକ୍ରବର୍ତ୍ତୀ, ସୁଦୀପ୍ତ, ଗୋପୀନାଥ ବାଗଙ୍କ ସମେତ ଅନେକ ଲେଖକ ଲେଖିକା ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ଶେଷରେ ସମାପନୀ ବକ୍ତବ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ଡ. ହିରଣ୍ମୟୀ ମିଶ୍ର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.