BREAKING : ଉଲିକୁପାରେ ରାସ୍ତା ଅବରୋଧ, ନୀରବ ପ୍ରଶାସନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଉଲିକୁପା ଠାରେ ୨୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲା ରାଜ ରାସ୍ତା ଅବରୋଧ ହୋଇଛି। ଯାହାଫଳରେ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାପ୍ତ ସୂଚନା ଆଧାରରେ ଉଲିକୁପା ଗାଁର ପୁରୁଷୋତ୍ତମ ଶବରଙ୍କ ୨୨ଡେସିମିଲ ଜମିକୁ ମାଡିଯାଇଛି ଏହି ପିଡବ୍ଲୁ ରାସ୍ତା। ବାରମ୍ବାର ଏସମନ୍ଧରେ ସଂପୃକ୍ତ ବିଭାଗକୁ ଜଣାଇବା ସତ୍ତ୍ବେ ମଧ୍ୟ କୈାଣସି କ୍ଷତିପୂରଣ ମିଳିନାହିଁ। ତେଣୁ କ୍ଷତିପୂରଣ ଦାବିରେ ଗତକାଲି (ଶୁକ୍ରବାର) ସକାଳ ୭ଘଣ୍ଟା ଠାରୁ ଆଜି (ଶନିବାର) ବର୍ତ୍ତମାନ ସୁଦ୍ଧା (ପୂର୍ବାହ୍ନ ୧୧ଟା) ରାସ୍ତା ଅବରୋଧ ହୋଇଛି। ତେବେ କୈାଣସି ସରକାରୀ ଅଧିକାରୀ କିମ୍ବା ପ୍ରଶାସନ ଏହି ସ୍ଥାନକୁ ପହଁଞ୍ଚି ନାହାନ୍ତି। ଏହି ରାସ୍ତା ଦାଦପୁର-ଭବାନୀପାଟଣାକୁ ସଂଯୋଗ କରିବାର ମୁଖ୍ୟ ରାସ୍ତା ହୋଇଥିବାବେଳେ ଦୀର୍ଘ ୨୮ ଘଣ୍ଟା ହେଲା ଅବରୋଧ ହୋଇଥିବାରୁ ଯାନବାହାନ ଯାତାୟତ ଠପ୍ ହୋଇପଡ଼ିଛି।

ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ରାସ୍ତା ଅବରୋଧ କରିଥିବା ପୁରୁଷୋତ୍ତମ ଶବରଙ୍କୁ ଅନେକ ସମୟଧରି ବୁଝାଇବା ସହ ରାସ୍ତା ଅବରୋଧ ହଟାଇବାକୁ ଅନୁରୋଧ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ (ପୂର୍ବାହ୍ନ ୧୧) ପର୍ଯ୍ୟନ୍ତ ଶ୍ରୀଯୁକ୍ତ ପଟ୍ଟନାୟକ ନିଜ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ପ୍ରଶାସନ ନ ଆସିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ପୁରୁଷୋତ୍ତମ ଶବର ନିଜ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.