ଲାଞ୍ଜିଗଡ଼: ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିବିଧ ଯୋଜନା ପ୍ରସ୍ତୁତ କରୁଛନ୍ତି। କେଉଁଠି ନଦୀରୁ ପାଇପ ଯୋଗେ ଜଳଯୋଗାଣ କରାଯାଇଛି ତ କେଉଁଠି ଗଭୀର କୂଅ ଖୋଲାଯାଇ ଜଳଯୋଗାଣ ହେଉଛି। ଏଥିପାଇଁ ପାଇଁ ଗୋଟିଏ ପ୍ରକଳ୍ପ ନିମନ୍ତେ ୮୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି।ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଆଗ୍ରହ ଅଭାବ ହେତୁ ଅନେକ ସ୍ଥାନରେ ନିର୍ମାଣଧୀନ ବସୁଧା ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଥିବା ଦେଖାଯାଉଛି। ଏପରି ଏକ ଅଭିଯୋଗ ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତରୁ। ଏହି ପଞ୍ଚାୟତ ଖାଲଗୁଡ଼ା ଗାଁ ଛକରେ ଥିବା ନିର୍ମାଣଧୀନ ପାନୀୟ ଜଳ ଯୋଗାଣ ବସୁଧା ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଜଗନ୍ନାଥପୁର ପଞ୍ଚାୟତଠାରେ ପ୍ରାୟ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅଟକଳ ମୂଲ୍ୟ ବିନିମୟରେ ୧ ଲକ୍ଷ ୫୦ ହଜାର ଲିଟର ଏକ ବସୁଧା ପ୍ରକଳ୍ପର ଓଭରୱାଡ଼ ପାଣି ଟାଙ୍କି ତିଆରି ହୋଇ ପାଣି ଯୋଗାଇବା ପାଇଁ ନିକଟସ୍ଥ ବଂଶିଧାରା ନଦୀରୁ ପାଇପ ବିଛାଯିବା ସହ କାମ ମଧ୍ୟ ବହୁଦିନ ହେଲା ଶେଷ ହୋଇଛି। ପୁଣି ପଞ୍ଚାୟତର ଜଗନ୍ନାଥପୁର, କେନ୍ଦୁବରଡି, ପୁଡ଼ରି ଭଟା ଓ ଘଡେଇତୋଟା ଗାଁକୁ ଜଳ ଯୋଗାଣ ପାଇଁ ପାଇପ ବିଛାଯିବା ସହ ପାଣି ପଏଣ୍ଟ ନିର୍ମାଣ ମଧ୍ୟ ହୋଇସାରିଛି।ଓଭରହେଡ ଟାଙ୍କି ନିର୍ମାଣ କରାଯାଇ ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ମଧ୍ୟ ବସି ସାରିଛି। ହେଲେ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଯୋଗୁଁ ଏହି ୪ ଗୋଟି ଗ୍ରାମର ପ୍ରାୟ ୫୦୦ ପରିବାରଙ୍କଠାରେ ଜଳସଙ୍କଟ ଦେଖା ଦେଇଛି। ସରକାରଙ୍କ ଏହି ମହତ ଯୋଜନା ଏଠାରେ ବାଟବଣା ହୋଇପଡି ରହିଛି। କାରଣ ବ୍ଳକର ଦାଇତ୍ୱରେ ଥିବା ଯନ୍ତ୍ରୀ ମୋହନ ଚରଣ ସିହାଳ ମାସକୁ ଗୋଟିଏ ସପ୍ତାହ ବ୍ଲକରେ କଷ୍ଟେ ମଷ୍ଟେ ରହିବା ପରେ ପ୍ରାୟ୨୩ ରୁ ୨୪ ଦିନ ଜିଲ୍ଲା ବାହାରେ ନିଜ ଘରେ ରହୁଥିବା ନେଇ ଲାଞ୍ଜିଗଡ଼ ଅଞ୍ଚଳବାସୀ କହୁଛନ୍ତି। ଏହି ପରିସ୍ଥିତିରେ କାର୍ଯ୍ୟର ତଦାରଖ ସଠିକ ଭାବେ ହେଉନଥିବା ବେଳେ ନିମ୍ନ ମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣି ବାହାରି ଯାଇଥିବା ଲୋକେ ପ୍ରକାଶ କରି ଥିବାବେଳେ ନିର୍ମାଣ କାମ ଶେଷ ହୋଇ ମାସ ମାସ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ପାଣି ମିଳି ପାରୁନାହିଁ। ଏନେଇ ଲାଞ୍ଜିଗଡ଼ ବ୍ଳକ ଜଳଯୋଗାଣ ଦାଇତ୍ୱରେ ଥିବା ଯନ୍ତ୍ରୀ ମୋହନ ଚରଣ ସିହାଳଙ୍କୁ ପଚାରିବାରୁ ବର୍ତ୍ତମାନ ବିଦ୍ୟୁତ ସଂଯୋଗକୁ ନେଇ ପ୍ରୋବ୍ଲେମ ଅଛି, ଜଳ ଯୋଗାଇବା ପାଇଁ ଆଉ ୧ ମାସ ଲାଗିବ ବୋଲି ପ୍ରକାଶ କରିଥିଲେ।ଏଥିପାଇଁ ତୁରନ୍ତ ଏହା କାର୍ଯ୍ୟକ୍ଷମ ନିମନ୍ତେ ଦାଇତ୍ୱରେ ଥିବା ଜିଲ୍ଲା ସ୍ତରୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in