ମନେରଗା କାର୍ଯ୍ୟରେ ୧୯ ଲକ୍ଷ ୮୮ ହଜାର ଟଙ୍କା ଆତ୍ମସାତ୍ ଅଭିଯୋଗ ଆଣିଲେ ସରପଞ୍ଚ

● ଅବସରପ୍ରାପ୍ତ ପିଇଓ ଚଂଚକତା କରି ଟଙ୍କା ହଡପ କରିଥିବା ଅଭିଯୋଗ

ରାୟଗଡ, (ଶିବ ନାରାୟଣ ଗୈାଡ): ମନେରଗା ଯୋଜନାରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କୁ ରୋଜଗାର ପ୍ରଦାନ କରାଯାଇ ଉପକୃତ କରାଯାଉଥିବା ବେଳେ ଏହି ଯୋଜନାରେ ଯେମିତି କୈାଣସି ଶ୍ରମିକ ନିଜ ପ୍ରାପ୍ୟ ପାଇବାରୁ ବଂଚିତ ହେବେ ନାହିଁ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ରାୟଗଡ ଜିଲ୍ଳା ଚନ୍ଦ୍ରପୁର ବ୍ଳକ ବିଜାପୁର ଗ୍ରାମ ପଂଚାୟତରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଚନ୍ଦ୍ରପୁର ବ୍ଳକ କାର୍ଯ୍ୟାଳୟର ବିଜାପୁର ଗ୍ରାମ ପଂଚାୟତ ଦାୟିତ୍ୱରେ ଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସୁଶୀଳ ନିମାଲପୁରୀ ଗତ ଜୁନ୍ ୩୦ତାରିଖରେ କାର୍ଯ୍ୟରୁ ଅବସର ନେଇଥିଲେ । ତେବେ ଅବସର ପୂର୍ବରୁ ପିଇଓ ଶ୍ରୀ ନିମାଲପୁରୀ ଚଂଚକତା କରି ଜୁନ୍ ୨ ତାରିଖରେ ମନରେଗା ଯୋଜନାରେ ବିଜାପୁର ପଂଚାୟତର ସରଲୁ ଗ୍ରାମ ଠାରୁ ସାନ ଓ ବଡ ପଙ୍କାଳ ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୫କିଲୋମିଟର ଦୂରତାର ଏକ ରାସ୍ତା କାର୍ଯ୍ୟର ବିଲ୍ ବାବଦକୁ ୧୯ ଲକ୍ଷ ୮୮ ହଜାର ୩୦୭ ଟଙ୍କା ନିଜ ସ୍ତ୍ରୀ ଶ୍ରୀମତି ସକୁନ୍ତଳା ନିମାଲପୁରୀଙ୍କ ନାମକୁ ଭେଣ୍ଡର କରି ଏହି ଅର୍ଥରାଶିକୁ ଆତ୍ମସାତ୍ କରିଥିବା ନେଇ ବିଜାପୁର ସରଂପଚ ଗାହି ହନ୍ଦନକା ଅଭିଯୋଗ କରିଛନ୍ତି ।


ଗତ ଜୁଲାଇ ୨୦ତାରିଖରେ ଏ ନେଇ ଚନ୍ଦ୍ରପୁର ବିଡିଓଙ୍କୁ ଲିଖିତ ଅଭିଯୋଗ କରି ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ସୁଦ୍ଧା ଆଜକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ବିଡିଓ କୈାଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ଜିଲ୍ଳାପାଳ ଓ ପିଡି-ଡିଆରଡିଏଙ୍କୁ ପିଇଓଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରଦାନ କରି ହିତାଧିକାରୀମାନଙ୍କୁ ସମସ୍ତ ଟଙ୍କା ପ୍ରାପ୍ୟ କରିବା ପାଇଁ ନିବେଦନ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ, ବିଜାପୁର ଗ୍ରାମ ପଂଚାୟତ ସରଲୁ ଗ୍ରାମ ଠାରୁ ସାନ ଓ ବଡ ପଙ୍କାଳ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରେ ୧କୋଟି ଟଙ୍କା ମଂଜୁରୀ କରାଯାଇଥିଲା ।


ଏହି କ୍ରମରେ ଶତାଧିକ ଶ୍ରମିକ ସାମିଲ ହୋଇ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ଶ୍ରମ ଦାନ କରିଥିବା ବେଳେ ପିଇଓ ଶ୍ରୀ ନିମାଲପୁରୀ କରିଥିବା ଚଂଚକତାକୁ ନେଇ ସରପଂଚଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ତଥା ଶ୍ରମିକମାନେ ମନରେଗା ଟଙ୍କା ପାଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସେହିପରି ସୋମନାଥ ନନ୍ଦ ନାମକ ଜଣେ ବ୍ୟକ୍ତି ଏହି ରାସ୍ତା କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଥିବା ବେଳେ ଉକ୍ତ ୧୯ଲକ୍ଷ ୮୮ହଜାର ୩୦୭ଟଙ୍କାର ବିଲକୁ ପିଇଓ ଶ୍ରୀ ନିମାଲପୁରୀ ଚଂଚକତା କରି ତାଙ୍କ ସ୍ତ୍ରୀ ଶ୍ରୀମତି ଶକୁନ୍ତଳାକୁ ଭେଣ୍ଡର ନାମ ଦେଇ ସବୁତକ ଟଙ୍କା ଆତ୍ମସାତ କରିବା ସହ ଗ୍ରାମବାସୀ ତଥା ଶ୍ରମିକମାନେ ନିଜ ହକ୍ ଟଙ୍କା ପାଇବାକୁ ମାଗିବାକୁ ଗଲେ ନାଲିଆଖି ଦେଖାଉଥିବା ସୀମନ୍ ମାଝି, ପିଟାରା ମାଝି, ସୋମନାଥ ନନ୍ଦ, ଅଭି କ୍ରେପୁଟିଆ, ଥୋମାସ କ୍ରେପୁଟିଆ ସହ ସରପଂଚ ଗାହୀ ହନ୍ଦନକା ପ୍ରକାଶ କରିଛନ୍ତି ।

ଯଦି ଟଙ୍କା ପ୍ରଦାନ କରିବାରେ ବିଳମ୍ବ ହେଲେ ଆଗାମୀ ଦିନରେ ଗ୍ରାମବାସୀମାନେ ଚନ୍ଦ୍ରପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ପଛେଇବୁ ନାହିଁ ବୋଲି ସରପଂଚ ଶ୍ରୀ ହନ୍ଦନକା ଅଭିଯୋଗ ପତ୍ରରେ ଉଲ୍ଳେଖ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.