ଲାଞ୍ଜିଗଡ଼ରେ ଟ୍ରାଫିକ ସମସ୍ୟା

● ଅଧାରେ ଅଟକି ରହିଲା ନୂତନ ରାସ୍ତା

● ମୂଖ୍ୟ ରାସ୍ତାରେ ଉଠା ଦୋକାନୀଙ୍କ ଭିଡ଼, ଯାତାୟାତ ବାଧାପ୍ରାପ୍ତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଡିବାର ଲାଗିଛି। ରୋଗୀ, ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକଙ୍କ ଯାତାୟାତରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଦିନ ତମାମ ସହର ଭିତରେ ଶହ ଶହ ଭାରିଯାନ ପ୍ରବେଶ କରୁଥିବା ବେଳେ ଏଥିପାଇଁ କୌଣସି ସମୟସୀମା ନାହିଁ। ଫଳରେ ମାର୍କେଟ ରାସ୍ତା କଡରେ ଡାକ୍ତରଖାନା, ସ୍କୁଲ, ପଞ୍ଚାୟତ, ଗ୍ୟାସ ଡିଲର, ବ୍ୟାଙ୍କ ସମେତ ଔଷଧ ଦୋକାନ ରହୁଥିବା ବେଳେ ରୋଗୀ ତଥା ଅନ୍ୟ ଗ୍ରାହକ ମାନଙ୍କ ସହ ଜନସାଧାରଣଙ୍କ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ବେଳେ ଏହି ଟ୍ରାଫିକ ଜାମ ଯୋଗୁଁ ନିଜ ନିଜ ମଧ୍ୟରେ କଳହ ମଧ୍ୟ ଦେଖିବାକୁ ମିଳୁଛି। ଏହା ସହିତ ରାସ୍ତାର ଦୁଇ କଡରେ ଗୁପଚୁପ, ଫାଷ୍ଟଫୁଡ଼, ପନିପରିବା ଦୋକାନ ସହ ବିଭିନ୍ନ ସାମଗ୍ରୀ ବିକ୍ରି କରାଯିବା ସହିତ ଅମାନିଆ ଲୋକେ ନିଜ ବାଇକ୍ କୁ ରାସ୍ତା ଉପରେ ରଖି ଥିବାଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଜରୁରୀ ପରିସ୍ଥିତିରେ ରୋଗୀ ତଥା ଆମ୍ବୁଲାନ୍ସକୁ ମଧ୍ୟ ରାସ୍ତା ମିଳୁନାହିଁ।


ଅନ୍ୟପକ୍ଷେ ନୂତନ ଭାବେ ବିଶ୍ୱନାଥପୁରଠାରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ପିଡବ୍ଲୁଡି ଟୁ ଓ୍ବେ ରାସ୍ତାଟି ମାତ୍ର ୧୩ କିମି ନିର୍ମାଣ ହୋଇ କାମ ଶେଷ ହୋଇଥିବା ବେଳେ ଲାଞ୍ଜିଗଡ଼ ସହରଠାରୁ ୨ କିମି ଦୂର ଟାଙ୍ଗନକଣା ଛକ ନିକଟରେ ଅଟକି ରହିଛି। ଆଜିକୁ ୨ ବର୍ଷ ହେଲା ଆଜି ହେବ କାଲି ହେବ କହି ଦାଇତ୍ୱରେ ଥିବା ଅଧିକାରୀ ଓ ଠିକାଦାର ଲାଞ୍ଜିଗଡ଼ବାସୀକୁ ଠକି ଚାଲିଥିବା ଲୋକେ ପ୍ରକାଶ କରିଛନ୍ତି।ଏଥିପ୍ରତି ଦାଇତ୍ୱରେ ଥିବା ଜିଲ୍ଲା ସ୍ତରୀୟ ଅଧିକାରୀ ଓ କଳାହାଣ୍ଡି ଜିଲ୍ଲାପାଳ ରାସ୍ତା ଓ ଟ୍ରାଫିକ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.