କଳାହାଣ୍ଡି,(ଲିଙ୍ଗରାଜ ମିଶ୍ର): ନର୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଅବସରରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଖଣ୍ଡ କାର୍ଯ୍ୟବାହ ତଥା ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି । ଶ୍ରାବଣ ପୂର୍ଣ୍ଣିମା ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏହି ଗୁରୁ ଦକ୍ଷିଣା ଉତ୍ସବ ପାଳନ କରିଥାଏ । ଏହି ପରିପ୍ରେକ୍ଷୀରେ ନର୍ଲା ଅଞ୍ଚଳର ସ୍ୱୟଂ ସେବକ ମାନେ ବହୁ ସଂଖ୍ୟାରେ ନର୍ଲା ଶିଶୁ ମନ୍ଦିର ଠାରେ ସମବେତ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଗୈରିକ ଧ୍ୱଜ ସ୍ଥାପନ କରାଯାଇଥିଲା । ଧ୍ୱଜ ସ୍ଥାପନା ପରେ ସ୍ୱୟଂ ସେବକ ମାନେ ଧ୍ୱଜ ପ୍ରଣାମ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଖଣ୍ଡ କାର୍ଯ୍ୟବାହ ଶ୍ରୀ ନାଏକ ଗୁରୁ ପୂଜନ ପରମ୍ପରା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଭିମୁଖ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ । ଏହାପରେ ଉପସ୍ଥିତ ସ୍ୱୟଂ ସେବକ ମାନେ ସାଧ୍ୟ ମତେ ଶକ୍ତି ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୁରୁ ଗୈରୀକ ଧ୍ୱଜ ନିକଟରେ ଦକ୍ଷିଣା ଅର୍ପଣ କରିଥିଲେ । ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ପରେ ସଂଘର ସାମୁହିକ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱୟଂ ସେବକ ମାନଙ୍କ ମଧ୍ୟରେ କଲ୍ୟାଣ କୁମାର ସାହୁ, ରୁପସିଂ ରାଉତ, ଅଜୟ କୁମାର ନାଏକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, କିଶୋର କୁମାର ନାଏକ, ଦେବରାଜ ବୁଦ୍ଧିଆ, ସମୀର ଚାନ୍ଦ, ବେଦପ୍ରକାଶ ଅଗ୍ରୱାଲା, ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।