ତେଲଙ୍ଗାନାରୁ ଉଦ୍ଧାର ପରେ ରାୟଗଡ ଫେରିଲେ ୮ଜଣ ଶିଶୁ ଶ୍ରମିକ

ରାୟଗଡ, (ଶିବ ନାରାୟଣ ଗୈାଡ): ତେଲଙ୍ଗାନା ରାଜ୍ୟର ସୂର୍ଯ୍ୟାପେଟା ଜିଲ୍ଳା ପ୍ରଶାସନ ତରଫରୁ ଏକ ସିମେଂଟ କାରଖାନାରେ ଦାଦନ ଖଟିବାକୁ ଯାଇଥିବା ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକର ୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ରାୟଗଡ ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ଶିଶୁ ଶ୍ରମିକମାନଙ୍କୁ ରାୟଗଡ ଚାଇଲ୍ଡ ଲାଇନ ତରଫରୁ କାଉନସେଲିଂ ପରେ ସିଡବ୍ଳ୍ୟୁସିରେ ହାଜର କରାଯାଇ ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ତେଲଙ୍ଗାନାର ସୂର୍ଯ୍ୟାପେଟା ଜିଲ୍ଳାରେ ପୋଲିସ ଓ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ ମିିଳିତରେ ମୁସ୍କାନ-୭ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅଭିଯାନ ମାଧ୍ୟମରେ ସ୍ଥାନୀୟ ପୋଲିସ ଓ ଡିସିପିୟୁ ୟୁନିଟ୍ ପକ୍ଷରୁ ସୂର୍ଯ୍ୟାପେଟା ଜିଲ୍ଳାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଏହି କ୍ରମରେ ଗତ ଜୁଲାଇ ୨୯ତାରିଖ ଦିନ ଏକ ସିମେଂଟ କାରଖାନାରେ ଟିମ୍ ପକ୍ଷରୁ ଚଢାଉ କରାଯାଇ ବହୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକର ୫ଜଣ ନାବାଳକ ଓ ୩ଜଣ ନାବାଳିକା ଶିଶୁ ଶ୍ରମିକମାନେ ମଧ୍ୟ ଉଦ୍ଧାର ହୋଇଥିଲେ । ଡିସିପିୟୁ ଓ ପୋଲିସ ପକ୍ଷରୁ ସିମେଂଟ କାରଖାନା ବିରୋଧରେ ଏଫଆଇଆର ରୁଜୁ କରାଯାଇ ଉଦ୍ଧାର ଶିଶୁ ଶ୍ରମିକମାନଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିଲା । ସେଠାକାର ଚାଇଲ୍ଡ ଲାଇନ ଦ୍ୱାରା କାଉନସେଲିଂ ପରେ ସିଡବ୍ଳ୍ୟୁସିରେ ହଜାର କରାଯାଇ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗତକାଲି ସୂର୍ଯ୍ୟାପେଟା ଜିଲ୍ଳା ପୋଲିସ, ଡିସିପିୟୁ ୟୁନିଟ୍ ଏବଂ ଚାଇଲ୍ଡଲାଇନ ସଦସ୍ୟମାନେ ଅଗଷ୍ଟ ୧୩ ତାରିଖରେ ଏକ ବୋଲେରୋ ଗାଡି ଯୋଗେ ଉକ୍ତ ୮ଜଣ ଶିଶୁ ଶ୍ରମିକଙ୍କୁ ରାୟଗଡ ଚାଇଲ୍ଡଲାଇନ ନିକଟରେ ହସ୍ତାନ୍ତର କରିଥିଲେ ବୋଲି ରାୟଗଡ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜିକା କେ. ନିଲାବେଣୀ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.