କଳାହାଣ୍ଡି, ୨୯|୮ (ନରୋତ୍ତମ ସେଲମା): ଓଡ଼ିଶା ସରକାର ରାଜ୍ୟର କେତୋଟି ସରକାରୀ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ମାନ୍ୟତା ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏଇ କ୍ରମରେ କର୍ଲାମୁଣ୍ଡା ବ୍ଳକର ସର୍ବପୁରାତନ ହାଇସ୍କୁଲ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡା ଓ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ଗଜବାହାଲକୁ ସ୍ମାର୍ଟ ସ୍କୁଲରେ ସାମିଲ କରିଛନ୍ତି । ଶନିବାର ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦ ରିଷିଡା ଓ ଗଜବାହାଲ ହାଇସ୍କୁଲକୁ ଆସି ସମସ୍ତ ସ୍ମାର୍ଟ ଶ୍ରେଣୀ କକ୍ଷ, ସାଇନ୍ସ ଲାବରୋଟାରୀ, ଲାଇବ୍ରେରୀ, କମ୍ପ୍ୟୁଟର କ୍ଲାସ ସମେତ ବିଦ୍ୟାଳୟ ପରିସରକୁ ପର୍ଯ୍ୟବେକ୍ଷଣ କରିଥିଲେ । ତାଙ୍କ ସହ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷିକେଶ ଗହୀର, ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଦା, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିଷିଡା ବାପୁଜୀ ହାଇସ୍କୁଲରେ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମ ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସାଗର ରଣା, ଏସ.ଏମ.ଡି.ସି. ସଭ୍ୟ ଅନ୍ତର୍ଯ୍ୟାମୀ ସାହୁ, ନେମିଚାନ୍ଦ ଜୈନ, ଲକ୍ଷ୍ମୀ ପ୍ରସାଦ ସେଠ, ସରପଂଚ ସରସ୍ୱତୀ ମାଝୀ, ସାମ୍ବାଦିକ ନରୋତ୍ତମ ସେଲମା, ପି.ଇ.ଓ. କ୍ଷୀରସିନ୍ଧୁ ରଣାଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସେଇପରି ଗଜବାହାଲ ହାଇସ୍କୁଲ କାର୍ଯ୍ୟକ୍ରମରେ ସରପଂଚ ପୂଜା ସାହୁ, ପିଇଓ ପାର୍ଥ ରଣାଙ୍କ ସମେତ ଏସ.ଏମ.ଡି.ସି. ସଭ୍ୟ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।





