କଳାହାଣ୍ଡି, ୫|୯ (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ଛତିକୁଡ଼ା ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ କରିବାସହ ଶାନ୍ତପୁର ସରପଞ୍ଚଙ୍କ ନାମରେ ରୁଜୁ ହୋଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ଦାବୀରେ ଆଜି ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ନେତୃତ୍ୱରେ ଛତିକୁଡା ଛକ ଠାରେ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହାପରେ ନର୍ଲା ଥାନାକୁ ଆସି ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଛତିକୁଡା ବିଦେଶୀ ମଦ ଦୋକାନ ମାଳିକ ସାନ୍ତପୁର ସରପଞ୍ଚ ଟିକେରାମ ସାହୁଙ୍କ ନାମରେ ଏକ ସଙ୍ଗିନ ମାମଲା ନର୍ଲା ଥାନାରେ ରୁଜ୍ଜୁ କରିଛନ୍ତି। ବିଦେଶୀ ମଦ ଦୋକାନ ମାଳିକଙ୍କ ଅଭିଯୋଗ ଅନୁଯାୟୀ, ସରପଞ୍ଚ ଶ୍ରୀ ସାହୁ ଓ କିଛି ଲୋକ ମଦ କିଣିବା ବାହାନାରେ ବିଦେଶୀ ମଦଦୋକାନକୁ ଯାଇ ଭଙ୍ଗା ରୁଜା କରିବା ସହ ଦୋକାନ ଡ୍ରରେ ଥିବା ୧ ଲକ୍ଷ ୭୫ ହଜାର ନଗଦ ଟଙ୍କା ନେଇ ଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଛନ୍ତି। ଏହାସହ ଦୋକାନରେ ଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି।
ତେବେ ଏହି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବିକ୍ଷୋଭକାରୀ। ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରା, ଧାରଣା ଓ ଦାବୀପତ୍ର ପ୍ରଦାନ ସମୟରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମିତିସଭ୍ୟ ଗୋବିନ୍ଦ ତାଣ୍ଡି, ଗାୟତ୍ରୀ ରଣା, ଟୁକୁ ସାହୁ, ପୁରନ୍ଦର ମାଝୀ, ମାଧବ ନାଏକ, ତହସିଲ ସାହୁ, ସରପଞ୍ଚ ମିଲି ସାହୁ, ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନର, ପାୟଲ କିନ୍ନରଙ୍କ ସମେତ ଅନେକେ ନିର୍ବାଚିତ ଲୋକପ୍ରତିନିଧି ଏବଂ ପ୍ରାୟ ୨୦୦ ଜନସାଧାରଣ ସାମିଲ ହୋଇଥିଲେ।