ନର୍ଲା: ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ୨ ରୋଗୀ, ପ୍ୟାଥୋଲୋଜି ଉପରେ ଆସିଲା ସଂଗୀନ ଅଭିଯୋଗ

● ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଛନ୍ତି କଳାହାଣ୍ଡି ପ୍ୟାଥୋଲୋଜି ମାଲିକ !

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାରେ ୪ ରୁ ଉର୍ଦ୍ଧ୍ବ ପ୍ୟାଥୋଲୋଜି ରହିଥିବା ବେଳେ ଅନେକ କ୍ୱାକ ମଧ୍ୟ ରହି ଚିକିତ୍ସା କରୁଛନ୍ତି । ନର୍ଲା ଡାକ୍ତରଖାନା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୬ ଗୋଟି ଔଷଧ ଦୋକାନ ମଧ୍ୟ ରହିଛି । ପ୍ୟାଥୋଲୋଜି ଗୁଡିକ ମଧ୍ୟରୁ ବ୍ଲକ ସମ୍ମୁଖରେ ରହିଥିବା କଳାହାଣ୍ଡି ପ୍ୟାଥୋଲୋଜି ମାଲିକ ଦ୍ୱିଜରାଜ ରଣା ଉଭୟ ପ୍ୟାଥୋଲୋଜି ଓ ଔଷଧ ଦୋକାନ କରିଥିବାବେଳେ ଟେକ୍ନିସିଆନ ଭାବରେ ନିଜେ ରକ୍ତ, ମଳମୂତ୍ର ପରୀକ୍ଷା କରିଥାନ୍ତି। ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଲା ସେ ଡାକ୍ତର ସାଜି ରୋଗୀ ପରୀକ୍ଷଣ କରିବାସହ ରୋଗୀ ମାନଙ୍କୁ ଔଷଧ ଓ ଇଞ୍ଜେସନ ଦେଇଥାନ୍ତି । ସମୁଦାୟ ପରୀକ୍ଷଣ ଓ ଔଷଧ ବାବଦକୁ ଗରୀବ ନୀରିହ ରୋଗୀ ମାନଙ୍କ ଠାରୁ ସେ ପର୍ଯ୍ୟାପ୍ତ ଅର୍ଥ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହାର ଜ୍ୱଳନ୍ତ ଉଦାହରଣ ଦୁଇଦିନ ତଳେ ଦେଖିବାକୁ ମିଳିଛି ।

ନର୍ଲା ଜୟନ୍ତୀ ନଗର ପଡାର ସଞ୍ଜୁ ସେନାପତି ଜ୍ୱର ହେବାରୁ କଳାହାଣ୍ଡି ପ୍ୟାଥୋଲୋଜିକୁ ଯାଇଥିଲେ ରକ୍ତ ପରୀକ୍ଷା ପାଇଁ । ତାଙ୍କୁ ଅଳ୍ପ ଟିକେ ଜ୍ୱର ହେଉଥିଲା । ସଞ୍ଜୁଙ୍କ ରକ୍ତ ପରୀକ୍ଷଣ କରି ତାଙ୍କୁ ଟାଇଫଏଡ୍ ଓ ଲୋ-ବିପି ରହିଥିବା କହି ଶ୍ରୀ ରଣା ନିଜେ ଡାକ୍ତର ସାଜି ଇଞ୍ଜେକସନ ଦେଇଥିଲେ ବୋଲି ଅଭିଯୋଗ ହେଉଛି । ଏବଂ ଏବାବଦକୁ ୧୪,୦୦ ଟଙ୍କା ନେଇଥିଲେ । ପ୍ୟାଥୋଲୋଜି ମାଲିକ ଶ୍ରୀ ରଣା କି ଇଞ୍ଜେକସନ ଓ ଔଷଧ ଦେଲେ କେଜାଣି ରାତିରେ ସଞ୍ଜୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ନର୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ସନତ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିକିତ୍ସା କରାଯାଇଥିଲା । ତାଙ୍କଠି ଟାଇଫଏଡ କିମ୍ବା କୌଣସୀ ଗୁରୁତର ରୋଗର ଲକ୍ଷଣ ନଥିଲା । ଭୁଲ ଇଞ୍ଜେକସନ୍ ପ୍ରୟୋଗ ଯୋଗୁଁ ରୋଗୀର ଅବସ୍ଥା ଗୁରୁତର ହୋଇପଡିଥିଲା ବୋଲି କହିଛନ୍ତି ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଶତପଥି ।


ଠିକ ସେହିଭଳି ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଉସିଲିର୍କା ଗ୍ରାମର ଦୀନ ମାଝୀ (୫୫)ଙ୍କୁ ଜ୍ୱର ହେବାରୁ ଶନିବାର ଦିନ ସେ କଳାହାଣ୍ଡି ପ୍ୟାଥୋଲୋଜିକୁ ଆସି ରକ୍ତ ଓ ମୁତ୍ର ପରୀକ୍ଷଣ କରାଇଥିଲେ । ତାଙ୍କୁ ମ୍ୟାଲେରିଆ ପିଏଫ୍ଆର୍ ଥିବା ଦର୍ଶାଇଥିଲେ ପ୍ୟାଥୋଲୋଜି ମାଲିକ ଶ୍ରୀ ରଣା । ରୋଗୀ ଡାକ୍ତରଖାନା ଯିବାକୁ ଚାହିଁବାରୁ ଡାକ୍ତର ନାହାନ୍ତି ସକାଳେ ଆସିବେ କହି ନିଜେ ଇଞ୍ଜେକସନ ଓ ଔଷଧ ଦେଇଥିଲେ ବୋଲି ଦୀନ କହିଛନ୍ତି । ଦୀନ ମାଝୀ ଘରକୁ ଚାଲିଯାଇଥିଲେ । ତେବେ ରାତି ୯ ଘଣ୍ଟା ସମୟରେ ତାଙ୍କ ଅବସ୍ଥା ସାଂଘାତିକ ହେବାରୁ ସ୍ଥାନୀୟ ଆଶାକର୍ମୀ ଶାନ୍ତିଙ୍କ ସହାୟତାରେ ନର୍ଲା ଡାକ୍ତରଖାନାକୁ ଆଣାଯାଇଥିଲା । ତାଙ୍କଠି ଭାଇରାଲ ଜ୍ୱର ରହିଥିଲା ମ୍ୟାଲେରିଆ ନଥିଲା ବୋଲି ଡାକ୍ତର ଶତପଥି କହିଥିବା ବେଳେ କଳାହାଣ୍ଡି ପ୍ୟାଥୋଲୋଜିର ଭୁଲ ଔଷଧ ଓ ଇଞ୍ଜେକସନ ପ୍ରୟୋଗ କରି ଦୀନ ମାଝୀଙ୍କୁ ମରଣ ମୁହଁକୁ ଠେଲି ଦେଉଥିଲେ । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଫଳରେ ରୋଗୀ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଆଶାକର୍ମୀ ଶାନ୍ତି ମତବ୍ୟକ୍ତ କରିଛନ୍ତି ।


ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶତପଥିଙ୍କ ମତାନୁଯାୟୀ କଳାହାଣ୍ଡି ପ୍ୟାଥୋଲୋଜି ତା’ର ଔଷଧ ଦୋକାନରେ ନିମ୍ନ ମାନର ଓ ବିନା ବ୍ରାଣ୍ଡର ଲୋକାଲ ଔଷଧ, କଫ ସିରଫ୍ ପ୍ରଭୃତି ଶସ୍ତା ଓ ନକଲି ଔଷଧ ରଖୁଛି । ଯାହା ଫଳରେ ରୋଗୀ ଅନେକ ସମୟରେ ସଙ୍କଟାପନ୍ନ ହେଉଛନ୍ତି । ଏହା କେବଳ ଆଜିକାର କଥା ନୁହଁ । ଏଭଳି ଆଗରୁ ମଧ୍ୟ ଅନେକ ସମୟରେ ହୋଇଥିବା ଡା. ଶତପଥି ମତବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷେ ପ୍ୟାଥୋଲୋଜି ମାଲିକ ରଣା ନିଜ ସପକ୍ଷରେ ମତ ରଖି କହିଛନ୍ତି ଯେ ଡାକ୍ତର ଶତପଥି ଙ୍କ ଲିଖିତ ଔଷଧ ମୋ ଦୋକାନରେ ନରଖିବାରୁ ମୋତେ ଫସାଇବା ପାଇଁ ଯୋଜନା କରିଛନ୍ତି । ମୁଁ ସେମିତି କିଛି ଭୁଲ ଇଞ୍ଜେକସନ ଓ ଔଷଧ ରୋଗୀଙ୍କୁ ଦେଇନାହିଁ । ମୁଁ ନର୍ଲା ମେଡିକାଲର ଅନ୍ୟତମ ଡାକ୍ତର କିଶୋର କୁମାର ସାହୁଙ୍କୁ ପଚାରି ଇଞ୍ଜେକସନ ଦେଇଥିଲି ବୋଲି କହିଛନ୍ତି । ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି ଏତେ ସବୁ ଘଟଣା ଘଟିବା ପରେ ସିଡିଏମ୍ଓ ମହୋଦୟ କାହିଁକି କଳାହାଣ୍ଡି ପ୍ୟାଥୋଲୋଜିକୁ ଜଉମୁଦ ମାରୁ ନାହାନ୍ତି? ନା ପ୍ରିୟାପ୍ରିତି ତୋଷଣ ରହୁଛି?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.