କଲ୍ୟାଣସିଂହପୁର: ଗ୍ରାମାଞ୍ଚଳରୁ ଭାଷା ଓ ସାହିତ୍ଯର ପ୍ରଚାର ପ୍ରସାର ଲାଗି ଉଦ୍ୟମ ଜାରି ରଖିଥିବା କେନ୍ଦ୍ର ସାହିତ୍ଯ ଅକାଦେମୀର କାର୍ଯ୍ୟକ୍ରମ ଗ୍ରାମାଲୋକ କଲ୍ୟାଣସିଂହପୁରଠାରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାକର ରଇତ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସାହିତ୍ଯ ଅକାଦେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ଯ ସୁଶାନ୍ତ କୁମାର ନାୟକ ଏଇ କାର୍ଯ୍ୟକ୍ରମର ସଭାପତିତ୍ବ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ତଥା ପ୍ରାବନ୍ଧିକ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଭାଷାପ୍ରେମୀମାନଙ୍କୁ ସାହିତ୍ଯ ରଚନା ଓ ସମାଜ ପ୍ରତି ଉତ୍ସର୍ଗୀକୃତ ହେବାକୁ ଉଦବୋଧନ ଦେଇଥିଲେ । ବିଶିଷ୍ଟ ଅନୁବାଦକ ଆଶୁତୋଷ ପାତ୍ର ଓ ବରିଷ୍ଠ ଶିକ୍ଷାବିତ ଭି. ସୂର୍ଯ୍ୟପ୍ରକାଶ ରାଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ ସାହିତ୍ୟପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । କବି ଶ୍ରୀଧର ପଟ୍ଟନାୟକଙ୍କ ଜନ୍ମଭୂମି ସ୍ବାଗତ ସଙ୍ଗୀତ ସୁପରିଚିତ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ବାଇଁ ନିଜ ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ, ଯାହା ଉପସ୍ଥିତ ଶ୍ରୋତାମାନଙ୍କୁ ରୋମାଞ୍ଚିତ କରିଥିଲା ।
ନିମନ୍ତ୍ରିତ କବି ଓ ଗାଳ୍ପିକ ଶିବସୁନ୍ଦର ପାଣିଗ୍ରାହୀ, ଶ୍ରୀଧର ପଟ୍ଟନାୟକ, ଚକ୍ରଧର ପାଢୀ, ପ୍ରିୟରଞ୍ଜନ ଭାରତୀ, ସଂଯୁକ୍ତା ଗରଡା ଓ ଅନିରୁଦ୍ଧ ସାମନ୍ତରା ନିଜ ନିଜର କବିତା ଓ ଗଳ୍ପ ପାଠ କରିଥିଲେ ।
ଦ୍ବିତୀୟ ଅଧିବେଶନର କବିତା ଆସର କାର୍ଯ୍ୟକ୍ରମରେ ସ୍ଥାନୀୟ ଦେବଗିରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ଅନେକ ଯୁବ କବି ସେମାନଙ୍କ ନିଜ ରଚିତ କବିତା ପାଠ କରିଥିଲେ । କେନ୍ଦ୍ର ସାହିତ୍ଯ ଅକାଦେମୀର ଏଇ ପ୍ରୟାସ ଅନେକ ମାତ୍ରାରେ ଯୁବ ସାହିତ୍ଯପ୍ରେମୀଙ୍କୁ ଉତ୍ସାହିତ କରିଥିଲା । କବି ବିମଳଚାନ୍ଦ ପଟ୍ଟନାୟକ ସ୍ବାଗତ ସଂଭାଷଣ ଦେଇ କାର୍ଯ୍ୟକ୍ରମ ଆଗେଇ ନେଇଥିବା ବେଳେ କବି ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।