ମାଡି ଆସୁଛି ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’

● ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ରାୟଗଡା ଜିଲ୍ଳା ପ୍ରଶାସନ ସଜାଗ ରହିଛି -ଜିଲ୍ଳାପାଳ

● ଜିଲ୍ଳାର ସମ୍ଭାବିତ ପ୍ରଭାବିତ ଅଂଚଳରେ ୬ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମ୍‌କୁ କରାଯିବ ମୁତୟନ

ରାୟଗଡା, (ଶିବ ନାରାୟଣ ଗୈାଡ): ସ୍ଥଳଭାଗ ମୁହାଁ ବାତ୍ୟା ‘ଗୁଲାବ୍‌’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ଗଭୀର ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହୋଇଛି । ସେପ୍ଟେମ୍ବର ୨୬ତାରିଖ ରବିବାର ସଂଧ୍ୟାରେ ଦକ୍ଷିଣ ଓଡିଶାର ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣମ ମଧ୍ୟ କଳିଙ୍ଗପାଟନମ୍ ଦେଇ ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ସ୍ଥଳ ଭାଗ ଛୁଇଁବା ବେଳେ ବାତ୍ୟାର ପ୍ରଭାବରେ ୮୫ ରୁ ୯୦କିଲୋମିଟର ବେଗରେ ଜୋରରେ ପବନ ବହିବାର ମଧ୍ୟ ଆଶଙ୍କା କରାଯାଉଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡିଶାର ଅନ୍ୟ ୩ ଜିଲ୍ଳା ସହ ରାୟଗଡା ଜିଲ୍ଳାକୁ ମଧ୍ୟ ରେଡ୍ ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି । ଏ ନେଇ ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଳାରେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ସହ ଜିରୋ କାଜୁଆଲଟି ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରି ସଜାଗ ରହିବା ପାଇଁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଳାରେ ୨୦୦ରୁ ୩୦୦ମିଲିମିଟର ବର୍ଷା ହେବାର ଆଶଙ୍କା କରାଯାଇଛି । ଫଳରେ ଜିଲ୍ଳାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଭୂସ୍ପଳନ ହେବାର ମଧ୍ୟ ସମ୍ଭାବନା ରହୁଛି ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗୁଣପୁର ଓ ରାୟଗଡା ଉପଜିଲ୍ଳାପାଳଙ୍କ ସମେତ ସମସ୍ତ ବ୍ଳକ ବିଡିଓ, ତହସିଲଦାର, ଜଳ ସେଚନ ବିଭାଗ ଓ ଅନ୍ୟମାନଙ୍କୁ ନେଇ ଜରୁରୀକାଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଜିଲ୍ଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ନାଗାବଳୀ,କଲ୍ୟାଣୀ ଓ ବଂଶଧାରା ନଦୀ ଅବବାହିକାରେ ରହୁଥିବା ତଳିଆ ଅଂଚଳ ଲୋକଙ୍କୁ ନିରାପଦ ସ୍ଥାନ ତଥା ବାତ୍ୟା ଆଶ୍ରୟ ସ୍ଥଳୀକୁ ନେବା ପାଇଁ ବନ୍ଦୋବସ୍ତ କରାଯାଉଥିବା ଜିଲ୍ଳାପାଳ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ସେହିପରି ସମ୍ଭାବିତ ପ୍ରଭାବିତ ଅଂଚଳରେ ସ୍ଥାନୀୟ ପଂଚାୟତ ସରପଂଚ ଏବଂ ଅନ୍ୟ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ବର୍ଷା ଓ ପବନ ସମୟରେ କେହି ବି ଘରୁ ନ ବାହାରିବା,ରାସ୍ତା ଘାଟରେ ଭୁସ୍ପଳନ ତଥା ନଦୀନାଳରେ ଜଳସ୍ତର ବୃଦ୍ଧି ଘଟିବାର ଆଶଙ୍କା ଥିବାରୁ ଗାଡି ଚଳାଚଳ ଉପରେ ଅଳ୍ପ ନିୟନ୍ତ୍ରଣ କରିବା,କଚ୍ଚା ଘରେ ନ ରହି ନିରାପଦ ସ୍ଥାନରେ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ଜିଲ୍ଳାପାଳ କହିଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ନିକଟସ୍ଥ ନିରାପଦ ସ୍ଥାନକୁ ନିଆଯିବାକୁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଳାକୁ ୨ଟି ଏନଡିଆରଏଫ ସହ ୬ଟି ଓଡ୍ରାଫ୍ ଟିମ୍ ଆସି ରବିବାର ସକାଳ ସୁଦ୍ଧା ପଂହଚିବା ପରେ ସେମାନଙ୍କୁ ସମ୍ଭାବିତ ଅଂଚଳରେ ମୁତୟନ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟିକୁ ବାତିଲ କରାଯାଇଥିବା ବେଳେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ନିଜ ନିଜ ହେଡକ୍ୱାଟର୍ସ ନ ଛାଡିବା ପାଇଁ ଏବଂ ଯେଉଁମାନେ ଛୁଟିରେ ଅଛନ୍ତି ଆସନ୍ତାକାଲି ରବିବାର ସକାଳ ସୁଦ୍ଧା ଯଥାଶୀଘ୍ର ସେମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଆଜି ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଳାରୁ ବ୍ଳକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ଆବଶ୍ୟକ ପଡିଲେ ଜିଲ୍ଳାସ୍ତରୀୟ ନିୟନ୍ତ୍ରଣ କକ୍ଷରେ ଜଣେ ଗେଜେଟେଡ୍ ଅଧିକାରୀଙ୍କୁ ନିୟୋଜିତ ପାଇଁ ମଧ୍ୟ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗୁଡାରୀ, ଚନ୍ଦ୍ରପୁର, ଗୁଣପୁର, କଲ୍ୟାଣସିଂହପୁର ଓ ରାୟଗଡା ବ୍ଳକର ତଳିଆ ଅଂଚଳ ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ଜିଲ୍ଳାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଗମ ଅଂଚଳରେ ଯୋଗାଣ ବିଭାଗ ତରଫରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଚୁଡା, ଚାଉଳ, କିରୋସିନି, ଦିଆସିିଲି ଆଦି ମହଜୁଦ ରଖିବା ସହ ଯୋଗାଣ ବ୍ୟବସ୍ଥା ପାଇଁ କହିଛନ୍ତି । ଏହି ଭର୍ଚୁଆଲ ମିଟିଂରେ ଜିଲ୍ଳା ଏସ.ପି. ବିବେକାନନ୍ଦ ଶର୍ମା ଜିଲ୍ଳା ପୋଲିସ ବାତ୍ୟା ମୁକାବିଲାରେ ସଂପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଥିଲେ । ବିଶେଷ କରି ଅଗ୍ନିଶମ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ଓ କୃଷି ବିଭାଗ ଅଧିକାରୀମାନେ ନିଜ ନିଜ ସ୍ଥାନରେ ଉପସ୍ଥିତ ରହି ବାତ୍ୟା ମୁକାବିଲାରେ ସହାୟକ ହେବା ପାଇଁ ଜିଲ୍ଳାପାଳ ଶ୍ରୀ ମିଶ୍ର ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.