ନିଶାଣପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ କୃଷକଙ୍କ ତହସିଲ ଓ କୃଷି ଅଫିସ ଘେରାଉ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷ ହୀନ ବୃଷ୍ଟି ଯୋଗୁଁ ନର୍ଲା ବ୍ଲକ ଅଞ୍ଚଳରେ ଭୟାବହ ମରୁଡି ପରିସ୍ଥିତି । ପାଣି ଅଭାବ ଯୋଗୁଁ ୮୦ ପ୍ରତିଶତ ଜମି ଏବେ ପଡିଆ ପଡିଥିବା ଦେଖିବାକୁ ମିଳୁଛି । ଏହାବାଦ୍ ଯେଉଁ କିଛି ଜମି ଗୁଡିକରେ ଚାଷୀ ଧାନ ରୋଇଥିଲେ ଓ ବୁଣିଥିଲେ ସେସବୁ ମଧ୍ୟ ପାଣି ଅଭାବ ଯୋଗୁଁ ମରିବାକୁ ବସିଲାଣି । ମରୁଡିକୁ ନେଇ ଚାଷୀ ମହଲରେ ଚାରିଆଡେ ଏବେ ହାହାକାର ପରିସ୍ଥିତି ।


ଏହିକ୍ରମରେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ନିଶାଣପୁର ଗ୍ରାମ ପଞ୍ଚାୟତର କୃଷକ ନେତା କେଦାରନାଥ ରଣାଙ୍କ ନେତୃତ୍ୱରେ ବରିଷ୍ଠ କୃଷକ ଅନନ୍ତ ପଧାନ, କୃଷ୍ଣଚନ୍ଦ୍ର ନାଏକ, ସହଦେବ ଧଙ୍ଗଡାମାଝୀ, ବଳରାମ ନାଏକ, ଗିରିଧାରୀ ମାଝୀ, ମଳୟ କୁମାର ପଧାନ, ସନ୍ତୋଷ ମାଝୀ ପ୍ରମୁଖଙ୍କ ସମେତ ୧୦୦ ରୁ ଉଦ୍ଧ୍ୱର୍ ଚାଷୀ ବେହେରାପାର୍ଟିରୁ ରାଲିରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ନିଶାଣପୁର ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।


ଏହାପରେ ନର୍ଲା କୃଷି ଅଫିସକୁ ଯାଇ ସେଠାରେ ମଧ୍ୟ ନିଶାଣପୁର ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ନାରାବାଜୀ କରିବା ସହିତ ନର୍ଲା ସହକାରୀ କୃଷି ଅଧିକାରୀ ଶିବାନୀ ପଧାନଙ୍କ ଅନୁପସ୍ଥିତିରେ ଦାଇତ୍ୱରେ ରହିଥିବା ବାଗପୁର ଏଓ ପରାସର ନାଏକଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ । ଯଦି ୧୫ ଦିନ ମଧ୍ୟରେ ନିଶାଣପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ଚାଷୀଙ୍କ ଜମି ସରଜମିନ ତଦନ୍ତ କରି ମରୁଡି ଘୋଷଣାରେ ଅବହେଳା କରାଯାଏ ତା ହେଲେ ଅଞ୍ଚଳର ସମସ୍ତ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବା ସହିତ ଗଣ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ । ଏହାପରେ ନର୍ଲା ବ୍ଲକ୍ ଅଫିସକୁ ଯାଇ ନିଶାଣପୁର ଗ୍ରାମ ପଞ୍ଚାୟତର ଚାରିଖଣ୍ଡ ଗାଁକୁ ରାସ୍ତା ନଥିବାରୁ ତୁରନ୍ତ ରାସ୍ତା ନିର୍ମାଣ କରାଯାଉ ବୋଲି ବିଡିଓଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.