କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ଦୂର୍ଗା ପୂଜା କମିଟି ଆନୂକୁଲ୍ୟରେ ଚାଲିଛି ଜଗଜ୍ଜନନୀ ଦେବୀ ଦୂର୍ଗାଙ୍କ ଶାରଦୀୟ ପୂଜା। ବୁଧବାର ଦେବୀଙ୍କ ମହାଷ୍ଟମୀ ପୂଜା ଓ ସନ୍ଧିପୂଜା ସଂପନ୍ନ ହୋଇଥିଲା। ମଣ୍ଡପରେ ଆଜି ଦେବୀଙ୍କ ମହାନବମୀ ପୂଜା ଚାଲିଛି। ଦେବୀ ଦୁର୍ଗାଙ୍କ ପୂଜା ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ପାଳନ କରାଯାଉଥିବା ନର୍ଲା ଦୂର୍ଗାପୂଜା କମିଟି ସଭାପତି ଚିରଞ୍ଜିବୀ ଗୌଡ଼ିଆ ପ୍ରକାଶ କରିଛନ୍ତି। ପୂଜାର ମୁଖ୍ୟ କର୍ତ୍ତା ଭାବରେ ସୁନୀଲ ଚାନ୍ଦ ଓ ତାଙ୍କ ସହଧର୍ମିଣୀ ନିବେଦିତା ଚାନ୍ଦ ଦାଇତ୍ୱ ନିର୍ବାହ କରୁଥିବାବେଳେ ମୁଖ୍ୟ ପୂଜକ ଦୟାନିଧି ବିଶି, ସହଯୋଗୀ ପଣ୍ଡିତ ସନ୍ତୋଷ କୁମାର ନାୟକ, ନୀରଜ କୁମାର ମହାପାତ୍ର ପୂଜନ କାର୍ଯ୍ୟ ସଂପାଦନ କରୁଛନ୍ତି। ବୈଦିକ ରିତି ଅନୁସାରେ ପ୍ରତିଦିନ ସକାଳୁ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ଓ ଅନ୍ୟାନ୍ୟ ନିତି ସହ ଦେବୀ ଆରାଧନା ହେଉଛି। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବରେ ବାହାରେ ଥାଇ ମା’ଙ୍କ ଦର୍ଶନ କରୁଥିବା ଦେଖାଯାଇଛି। ଏଥିରେ ମାକ୍ସ ବ୍ୟବହାର ବାଧ୍ୟତାମୂଳକ ହୋଇଛି। ଆଜି ମହାନବମୀ ଅବସରରେ ସକାଳେ କୁମାରୀ ପୂଜନ ଓ ସଂନ୍ଧ୍ୟାରେ ସଂନ୍ଧ୍ୟା ଆରତୀ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ନର୍ଲା ଦୁର୍ଗାପୂଜା କମିଟି ସମ୍ପାଦକ ପ୍ରିୟବ୍ରତ ଚାନ୍ଦ (କୁଲୁ), କୋଷାଧ୍ୟକ୍ଷ ଟିମ୍ପୁ ପୁଝରୀ, ସଦସ୍ୟ ପ୍ରଦୀପ ହଂସ (ବଡ), ପୂର୍ଣ୍ଣ ପୁଝରୀ, କିଶୋର ମାଝୀ, ରୋହିତ ମାଝୀ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଆସନ୍ତା କାଲି (ଶୁକ୍ରବାର) ବିଜୟା ଦଶମୀ ଥିବାବେଳେ ସକାଳ ୯ ଘଣ୍ଟା ସମୟରେ ପୂର୍ଣାହୂତି ପଡିବ ବୋଲି କମିଟି ସୂତ୍ରରୁ ଜଣାପଡ଼ିଛି।