ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ଦେବୀ ଦୁର୍ଗାଙ୍କ ପୂଜା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।

ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା। ଆଜି ସକାଳୁ ମା’ଙ୍କର ମଙ୍ଗଳ ଆଳତି ହେବା ପରେ ସୂର୍ଯ୍ୟ ପୂଜା ଓ ଦ୍ୱାରପୂଜା ହୋଇଥିଲା। ଏହାପରେ ବିଜୟା ଦଶମୀ ପୂଜାରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରାରୋଡ, ନର୍ଲା ଓ ନର୍ଲାରୋଡ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଚାଲିଛି ଦୁର୍ଗାପୂଜା। 

ଏବର୍ଷ ସରକାରଙ୍କ କୋଭିଡ ଗାଇଡଲାଇନକୁ ଅନୁସରଣ କରି ଦେବୀଙ୍କ ମୂର୍ତ୍ତି ନିର୍ମାଣ ସହ ବାହାରୁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଓ ମଣ୍ଡପ ମଧ୍ୟରେ ୭ଜଣଙ୍କୁ ନେଇ ସମସ୍ତ ନିତି ଚାଲିଥିଲା ବୋଲି ନର୍ଲାରୋଡ ଦୁର୍ଗାପୂଜା କମିଟି ସଭାପତି ହମେଶ ଜୈନ ଏବଂ ରୁପ୍ରାରୋଡ ଦୁର୍ଗାପୂଜା କମିଟି ସଭାପତି ମୋହନ ଲାଲ କମାନୀ ପ୍ରକାଶ କରିଛନ୍ତି। ଏପଟେ ଆଜି ସକାଳ ୯ଟାରେ ନର୍ଲା ଦୁର୍ଗାପୂଜାର ପୂର୍ଣ୍ଣାହୁତି ପଡିବ ବୋଲି ଦୁର୍ଗାପୂଜା କମିଟି ସଭାପତି ଚିରଞ୍ଜିବୀ ଗୈାଡିଆ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.