ନର୍ଲା ଥାନାରେ ବିଜୟା ଦଶମୀ ପାଳନ: ଅଞ୍ଚଳରେ ଶାନ୍ତି ପାଇଁ ପ୍ରାର୍ଥନା କଲେ ଆଇଆଇସି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ର ୯ ଗୋଟି ସ୍ଥାନରେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ନର୍ଲା ଥାନା ପକ୍ଷରୁ ନର୍ଲା ଆଇଆଇସି ରେଣୁକା ସୁନାଙ୍କ ନେତୃତ୍ୱରେ ଆଜି ପବିତ୍ର ବିଜୟା ଦଶମୀ ପାଳିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସକାଳ ୯ ଘଣ୍ଟା ସମୟରେ ନର୍ଲା ଥାନା କର୍ମଚାରୀ ମାନେ ସ୍ଥାନୀୟ ନର୍ଲା ଛିଟକେଲ ବନ୍ଧ (ପୋଖରୀ) ରୁ କଳସ ଯାତ୍ରା ରେ ଜଳ ସେଇ ଆସିଥିଲେ । ଥାନାର ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗାଙ୍କୁ ବିଲ୍ୱ ବରଣ ପରେ ପ୍ରାରମ୍ଭିକ ରୀତି ନୀତି ସମ୍ପନ୍ନ ହୋଇଥିଲା ।

ମୁଖ୍ୟ କଳସ ସମେତ ୫ ଗୋଟି କଳସ ପୂଜା ସ୍ଥଳରେ ସ୍ଥାପନା ପରେ ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ମଧ୍ୟରେ କେବଳ ନର୍ଲା ଥାନା ଷ୍ଟାଫ୍ ଙ୍କ ଉପସ୍ଥିତିରେ ଥାନା ଭିତରେ ବିଜୟା ଦଶମୀ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଗତ ୧୦ ବର୍ଷ ତଳେ ଥାନା ଗୁଡିକରେ ୧୦ ରୁ ୧୫ ଗୋଟି ବୁଦା ବଳି ଆକାରରେ ଦିଆ ଯାଉଥିଲା । ହେଲେ ସମୟ କ୍ରମେ ଥାନା ଗୁଡିକରେ ପଶୁ ବଳି ପ୍ରଥା ବନ୍ଦ ହୋଇଯାଇଥିବା ବେଳେ ଆଜି ନର୍ଲା ଥାନାରେ ମା ଙ୍କୁ କଖାରୁ ବଳୀ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା ।


ପୂଜକ ପଣ୍ଡିତ ଭାବରେ ପଣ୍ଡିତ ନିଳମାଧବ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଏସଆଇ ବଂଶୀଧର ସାମଲ, ଡି.ମାଝୀ, ଏଏସଆଇ ଆର. ନିଶିକା, ଏଏସଆଇ ମିନାରାଓ ଶବର, ହାବିଲଦାର ରୁପବନ୍ତ ଶବର ପ୍ରମୁଖ ପୂଜନ କାର୍ଯ୍ୟରେ ସହେଯାଗ କରିଥିଲେ । ହୋମ ସାଙ୍ଗକୁ ସାମୁହିକ ପୁଷ୍ପାଞ୍ଜଳୀ ଓ ଆରତୀ ଦୁର୍ଗା ମା ଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ଥାନାର ସମସ୍ତ ଗାଡିକୁ ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା ।

ନର୍ଲା ଥାନା ଆଇଆଇସି ଶ୍ରୀମତୀ ରେଣୁକା ସୁନା ନର୍ଲା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହୁ ବୋଲି ଦୁର୍ଗା ମାଙ୍କ ଠାରେ ପ୍ରାର୍ଥନା କରିଥିଲେ । ସରକାରଙ୍କର କୋଭିଡ ଗାଇଡ ଲାଇନକୁ ସମ୍ମାନ ଜଣାଇ ଆମ ଥାନା ପରିସରରେ କେବଳ ଥାନା କର୍ମଚାରୀ ମାନଙ୍କୁ ନେଇ ବିଜୟା ଦଶମୀ ପାଳନ କରାଯାଇଥିବା ନର୍ଲା ଆଇଆଇସି ଶ୍ରୀମତୀ ସୁନା ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.