କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଆସନର ପୁନଃ ବିଚାର କରିବାକୁ ଦାବୀକଲେ ଅନେକ ଅନୁଷ୍ଠାନ

କଳାହାଣ୍ଡି: ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ପ୍ରାଥମିକ ସଂରକ୍ଷଣ ତାଲିକାକୁ ନେଇ କଳାହାଣ୍ଡି ଜିଲ୍ଲାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ସଂରକ୍ଷଣକୁ ନେଇ ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦବୀ ସଂରକ୍ଷଣକୁ ବିରୋଧ କରିବା ସହ ଏହି ଆସନକୁ ସାଧାରଣ ବର୍ଗର କରିବା ଦାବୀନେଇ ଗୁରୁବାର ଦିନ ସ୍ଵର୍ଗଦ୍ଵାର ସେବା ସଂଗଠନ କେସିଙ୍ଗା, ଗୋକୁଳେଶ୍ବର – କେରୋକୁଡା ଶିବରାତ୍ରୀ କମିଟି, ସୁନାମୁଖି ସ୍ବେଚ୍ଛାସେବୀ ଯୁବକ ସଂଘ ମହଗାଁ ଏବଂ ଅନେକ ସ୍ବେଛାସେବୀ ସଂଗଠନ, ଯୁବକ ସଂଘ ଜିଲ୍ଲାପାଳଙ୍କୁ ଡ଼ାକ ଯୋଗେ ଦାବୀପତ୍ର ପଠାଇଥିବା ଜଣାପଡିଛି। ଏହାସହ କେସିଙ୍ଗା ବ୍ଲକର କଶୃପଡା, ଅଧମୁଣ୍ଡା ଏବଂ କାଣ୍ଡେଲ ପଞ୍ଚାୟତର ମତଦାତାମାନେ ମଧ୍ୟ ବ୍ଲକ ଅଧ୍ୟକ୍ଷ ଆସନ ସାଧାରଣ କରିବାପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ଗତ ସୋମବାର ଦିନ ବ୍ଲକର ୧୭ ଜଣ ସରପଞ୍ଚ, ୧୬ ଜଣ ସମିତି ସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ, ୧୦ ଜଣ ପୂର୍ବତନ ସରପଞ୍ଚ, ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ କେସିଙ୍ଗା ବ୍ଲକର ୨୬ଗୋଟି ପଞ୍ଚାୟତର ୭୦୦ ଜଣଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହାପରେ ମଙ୍ଗଳବାର ଦିନ କେସିଙ୍ଗା ବ୍ଲକର ଉତ୍କେଲା, ଚାଞ୍ଚେର, ବେଲଖଣ୍ଡି, ପାଷ୍ଟିକୁଡି, ବୋରିଆ, ହାତୀଖୋଜ, ନାସିଗାଁ, ସିର୍ଜାପାଲି, ଫଟକାମାଲ, ଅଧମୁଣ୍ଡା, ଗୋକୁଳେଶ୍ବର, ପରଲସିଙ୍ଗା ଓ ସିରୋଲ ଆଦି ୧୩ଟି ପଞ୍ଚାୟତର ମତଦାତାମାନେ ନିଜର ଦସ୍ତଖତ ସମ୍ବଳିତ ଅର୍ଜିକୁ ଡାକ ଯୋଗେ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପ୍ରେରଣ କରି ନିଜର ଅଭିଯୋଗ ଦାଖଲ କରିଛନ୍ତି। ଏପଟେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦବୀ ସଂରକ୍ଷଣକୁ ନେଇ ଦିନକୁ ଦିନ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ଦାବୀପତ୍ରମାନ ପହଞ୍ଚୁଛି। ଏହାର ପୁନଃ ବିଚାର ହେବା ସହ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ସାଧାରଣ ବର୍ଗଙ୍କ ପାଇଁ ଘୋଷଣା ହେଉ ବୋଲି ସେମାନେ ଦାବୀ କରିଛନ୍ତି।

ଜନତାଙ୍କ ଅଭିଯୋଗ ଅନୁଯାୟୀ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ୨୦୦୭-୨୦୧୧ ଅବଧିରେ ଅନୁସୂଚିତ ଜନଜାତି ମହିଳା ବର୍ଗର ସଂରକ୍ଷଣ ଥିବାବେଳେ ୨୦୧୨-୨୦୧୬ରେ ପଛୁଆବର୍ଗ ପାଇଁ ସଂରକ୍ଷଣ ଥିଲା।୨୦୧୭-୨୦୨୧ରେ ଏହାର ପରିବର୍ତ୍ତନ ହୋଇ ଅନୁସୂଚିତ ଜାତି ମହିଳା ବର୍ଗର ହୋଇଥିଲା। ତେବେ ୨୦୨୨-୨୦୨୭ ପଞ୍ଚାୟତ ନିର୍ବାଚନରେ ଏହି ଆସନକୁ ପୁନଃ ଅନୁସୂଚିତ ଜାତି ସଂରକ୍ଷଣ ଘୋଷଣା କରାଯାଇଛି। ସାଧାରଣ ବର୍ଗ ସଂରକ୍ଷଣ ଆଜିଯାଏଁ ହୋଇନଥିବା ବେଳେ ଏଥରକ ପାଇଁ (୨୦୨୨-୨୭) ସାଧାରଣ ବର୍ଗଙ୍କ ପାଇଁ ଆସନର ସୁଯୋଗ ଦେବା ଉଚିତ୍, ଯାହା ନ୍ୟାୟୋଚିତ ଅଟେ ବୋଲି ସାଧାରଣରେ ଦାବୀ ପ୍ରକାଶ ପାଇଛି। ତେବେ କେଉଁ ସ୍ବାର୍ଥରେ ଏହି ଆସନକୁ ପୁନଃ ଅନୁସୂଚିତ ଜାତି ସଂରକ୍ଷଣ ଘୋଷଣା କରାଯାଇଛି ତାହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମୁଦାୟ ଜନସଂଖ୍ୟା ୧୧୫୮୨୬ରୁ ଅନୁସୂଚିତ ଜାତିଙ୍କ ସଂଖ୍ୟା ଶତକଡା ୧୬ ଭାଗ ଅର୍ଥାତ ୧୯୦୭୮ ଅଟେ। ସେହିପରି ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୩୧୮୪୯ ଅଟେ ଯାହା ସମୁଦାୟ ଜନସଂଖ୍ୟା ର ଶତକଡା ୨୭ ଭାଗ। ଅନ୍ୟାନ୍ୟଙ୍କ ସଂଖ୍ୟା ୬୪୮୯୯ ଅଟେ ଯାହା ସମୁଦାୟ ଜନସଂଖ୍ୟାର ଶତକଡା ୫୭ ଭାଗ ଅଟେ। ଏପରି କ୍ଷେତ୍ରରେ ସମସ୍ତ ବର୍ଗ ସଂରକ୍ଷଣ ପାଇ ସାରିଥିବା ବେଳେ ସାଧାରଣ ବର୍ଗଙ୍କ ପ୍ରତି ସରକାର ପରୋକ୍ଷରେ ଅହଂ ଭାବ ପୋଷଣ କରିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ବାସ୍ତବ ନିର୍ବାଚନ ସଂରକ୍ଷଣ ନିତିକୁ ଅଣଦେଖା କରି କେଉଁ ଆଧାରରେ ସରକାର ସଂରକ୍ଷଣ ଘୋଷଣା କରି ସାଧାରଣ ବର୍ଗଙ୍କୁ ଅନାବଶ୍ୟକ ମନେ କରିଛନ୍ତି। ଏ ସମସ୍ତ ପ୍ରଶ୍ନକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ସରକାରଙ୍କ ନିଷ୍ପତ୍ତି ଏକପାଖିଆ ହୋଇଛି ବୋଲି ମତ ପ୍ରକାଶ ପାଇଛି। ତେଣୁ ଜନତାଙ୍କ ଏ ଅଭିଯୋଗର ପୁନଃ ବିଚାର କରି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଆସନକୁ ସାଧାରଣ ବର୍ଗ ଘୋଷଣା କରନ୍ତୁ ବୋଲି ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.