ବେଦାନ୍ତର ପ୍ରଦୂଷଣ ଯୋଗୁ ବସନ୍ତପଡାର ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

● କମ୍ପାନୀ ରେଡମଡପଣ୍ଡ ଫାଟକ ନିକଟରେ ଶବ ରଖି ଧାରଣାରେ ବସିଲେ ଉତ୍ୟକ୍ତ ଜନତା

ଲାଞ୍ଜିଗଡ଼: ଶିଳ୍ପାୟନ ହେବାପରେ ସଂପୃକ୍ତ ଅଞ୍ଚଳର ବିକାଶ ସାଧିତ ହେବାସହ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଧାରାରେ ଉନ୍ନତି ହୋଇଥାଏ। କିନ୍ତୁ ବେଦାନ୍ତ କ୍ଷେତ୍ରରେ ଏହା ଓଲଟା ହୋଇଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଠାରେ ବେଦାନ୍ତ ଲିମିଟେଡର ଆଲୁମିନା ରିଫାଇନେରି ସ୍ଥାପନ ହେବା ପରଠାରୁ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକା ଏକ ପ୍ରକାର ବେହାଲ ହୋଇପଡିଛି। ବେଦାନ୍ତର ବିଷାକ୍ତ ବର୍ଯ୍ୟବସ୍ତୁର ପ୍ରଭାବରେ ଚାଷବାସ ନଷ୍ଟ ହେଉଥିବା ବେଳେ କମ୍ପାନୀର ରେଡମଡ୍ ଫଣ୍ଡରୁ ଉଡୁଥିବା ବିଷାକ୍ତ ନାଲି ପାଉଡର ଗୁଣ୍ଡ ଯୋଗୁଁ ସମଗ୍ର ଲାଞ୍ଜିଗଡ଼ ଓ ଏହାର ଆଖପାଖର ଲୋକେ ଅଣନିଃଶ୍ବାସୀ ହୋଇପଡୁଛନ୍ତି। କମ୍ପାନୀର ବିଷାକ୍ତ ଧୂଲିଧୂଆଁର ପ୍ରଭାବରେ ଲୋକେ ଅନେକ ଅଜଣା ରୋଗରେ ଶିକାର ହେଉଥିବା ବେଳେ ଅକାଳରେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି। ଏହିପରି ଭାବେ ବେଦାନ୍ତ ପ୍ରକଳ୍ପର ରେଡମଡପଣ୍ଡକୁ ଲାଗିରହିଥିବା ବସନ୍ତପଡା ଗାଁର ନାନ୍ଦେଇ ମାଝୀ ନାମକ ଜଣେ ମହିଳା ଛାତି ଓ ଶ୍ଵାସ ସମସ୍ୟା ଯୋଗୁଁ ହଠାତ୍ ମୃତ୍ୟୁ ବରଣ କରିଥିବା ବେଳେ ଏହାକୁ ନେଇ ବସନ୍ତପଡାରେ ତୀବ୍ର ଉତ୍ତେଜନା ଦେଖାଦେଇଛି। କମ୍ପାନୀର ପ୍ରଦୂଷଣ ଯୋଗୁଁ ନନ୍ଦେଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକରି ବସନ୍ତପଡା ଗାଁର ଲୋକେ ଆଜି ସକାଳୁ କମ୍ପାନୀର ରେଡମଡପଣ୍ଡ ଫାଟକ ନିକଟରେ ଶବ ରଖି ଧାରଣା ଦେଇଥିଲେ।

ଏହିପରି କେବଳ ନାନ୍ଦେଇ ଜଣେ ନୁହନ୍ତି ତାଙ୍କ ପୂର୍ବରୁ ଏହି ଗାଁର ୧୦ରୁ ଅଧିକ ଲୋକେ ଶ୍ଵାସ ଜନୀତ ରୋଗରେ ମରିଥିବା ଅଭିଯୋଗ କରିବା ସହିତ ତୁରନ୍ତ କ୍ଷତିପୂରଣ ଓ ବସନ୍ତପଡା ଗାଁକୁ ବିସ୍ଥାପନ କରାନଗଲେ ସେମାନେ ଶବ ଉଠାଇବେ ନାହିଁ ବୋଲି ଜିଦ୍ ଧରି ବସିଥିଲେ। ଯାହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ବଢିବାରେ ଲାଗିଥିଲା। ଘଟଣାଟି କମ୍ପାନୀ କତୃପକ୍ଷଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ତେବେ ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୋନାଙ୍ଗା, କମ୍ପାନୀ କତୃପକ୍ଷ ଏବଂ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ଧାରଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଦିର୍ଘ ୧୦ ଘଣ୍ଟା ପରେ ସେମାନେ ଧାରଣାରୁ ଉଠିଥିଲେ। ଅନ୍ୟପକ୍ଷରେ ବେଦାନ୍ତ ଦିନକୁଦିନ ମନମୁଖି କାମ କରିଚାଲିଥିବାବେଳେ ରାଜ୍ୟ ସରକାର ଓ ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଇ ଆସୁଥିବା ଅଭିଯୋଗ ହେଉଛି। ବେଦାନ୍ତ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରିବା, ବିସ୍ଥାପିତ ଲୋକଙ୍କ ସମସ୍ୟାକୁ ଅଣଦେଖା କରାବା ସହ ବର୍ଜବସ୍ତୁ ପରିଚାଳନାରେ ଖାମଖିଆଲି ମନୋଭାବ ପୋଷଣ କରୁଥିବାନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କମ୍ପାନୀ କତୃପକ୍ଷ ମୋଟେ କର୍ଣ୍ଣପାତ କରୁନଥିବା ପରିଲକ୍ଷିତ ହେଉଛି। ତେଣୁ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନକଲେ ଆଗକୁ ବଡଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.