ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି): କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ତଥା ଯୁବପିଢ଼ିଙ୍କ ବହୁ ଆକାଂକ୍ଷିତ ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ର ଫଳାଫଳ ଘୋଷଣା କରାଯାଇଛି । ୨୦୧୭ ମସିହା ଠାରୁ ଉତ୍ସବ ହୋଇପାରି ନଥିବା କାରଣରୁ ଚଳିତ ବର୍ଷ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଏହି ପୁରସ୍କାର ବିଧିବଦ୍ଧ ଭାବରେ ସଂସଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି ।

[ଦିବଂଗତ କବି ବସନ୍ତ ମୁଦୁଲି]
ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବପିଢ଼ିର କବିଙ୍କୁ ବିଚାରକମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଚୟନ କରାଯାଇ ଏହି ପୁରସ୍କାର ବିଗତ ୨୯ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି। ପୁରସ୍କାରର ଫଳାଫଳ ଘୋଷଣା ଅନୁସାରେ ୨୦୧୭ ମସିହା ପାଇଁ ଯୁବକବି କିଶୋର ପାଣିଗ୍ରାହୀ ମନୋନୀତ ହୋଇଥିବା ବେଳେ ୨୦୧୮ ପାଇଁ ଡ. ଶୁଭଶ୍ରୀ ଲେଙ୍କା, ୨୦୧୯ ପାଇଁ ପ୍ରୀତିଧାରା ସାମଲ, ୨୦୨୦ ପାଇଁ ଈପସିତା ଷଡ଼ଙ୍ଗୀ ଏବଂ ୨୦୨୧ ପାଇଁ ବାଦଲ ମହାନ୍ତି ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିନିମନ୍ତେ ଆହୂତ ଏକ ବୈଠକ ସଂସଦର ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଗତ ୫ ବର୍ଷ ପାଇଁ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ପ୍ରତିଭାଙ୍କୁ ଚୟନ କରାଯାଇଥିଲା । ତଦନୁସାରେ ଭଦ୍ରକର କବି କିଶୋର, ବାଲେଶ୍ବରର କବି ଶୁଭଶ୍ରୀ, କୋରାପୁଟର କବି ପ୍ରୀତିଧାରା, ପୁରୀର କବି ଈପସିତା ଏବଂ ଭୁବନେଶ୍ବରର କବି ବାଦଲ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସଂସଦ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଓ ସଂଯୋଜକ ଅରୁଣ ଖିଲାର ପ୍ରକାଶ କରିଛନ୍ତି ।
ନଭେମ୍ବର ମାସର ଶେଷ ସପ୍ତାହରେ ଭଦ୍ରକର ଚିଙ୍ଗୁଡ଼ିପୁର ସ୍ଥିତ ନବନିର୍ମିତ ସଂସଦର ନିଜସ୍ଵ ଗୃହ ‘ବସନ୍ତ ଭବନ’ ଠାରେ ଅନୁଷ୍ଠିତ ହେବାକୁ ଥିବା ୨୯ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ ଅବସରରେ ଉପରୋକ୍ତ ବିଜେତାମାନଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଏହି ୫ଜଣ ଯୁବକବି ଓଡ଼ିଆ କବିତା କ୍ଷେତ୍ରରେ ବେଶ ପରିଚିତ ନାମ। ନିରବଚ୍ଛିନ୍ନ ଭାବରେ ଓଡ଼ିଆ କବିତା ସର୍ଜନା କରି ସେମାନେ ନିଜ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ସେହି କ୍ରମରେ ସମସ୍ତ ବିଜୟୀ ପ୍ରତିଭାଙ୍କୁ ସଂସଦ ପକ୍ଷରୁ ଆନୁଷ୍ଠାନିକ ଭାବରେ ଅଭିନନ୍ଦନ ଜ୍ଞାପନ କରାଯିବା ସହ ସେମାନଙ୍କର ସଫଳତା କାମନା କରାଯାଇଛି ।