ମୋବାଇଲ ନେଟୱର୍କ ପାଇଁ ହନ୍ତସନ୍ତ ଅଞ୍ଚଳବାସୀ, ସମସ୍ୟାର ସମାଧାନ କରାନଗଲେ ଭୋଟବର୍ଜନ ନିଷ୍ପତ୍ତି

ଲାଞ୍ଜିଗଡ଼: ଆଜିର ଦୁନିଆରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା କେତେ ଜରୁରୀ ତାହା ସମସ୍ତଙ୍କୁ ଭଲ ଭାବରେ ଜଣା। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି। ସରକାର ଜନସାଧାରଣଙ୍କ ସୁବିଧା ପାଇଁ ଏହା ଯୋଗାଇ ଦେଉଛନ୍ତି ମଧ୍ୟ। ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଅନେକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ଓ ଇଣ୍ଟରନେଟ ସେବା ଦୁର୍ଲଭ ହୋଇଛି। ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅଞ୍ଚଳରେ ମୋବାଇଲ ସେବା ଅପହଞ୍ଚ ହୋଇପଡିଥିବା ଦେଖାଯାଇଛି। ଫଳରେ ସରକାରଙ୍କ ଆମ୍ବୁଲାନ୍ସ ସେବାଠାରୁ ଅନଲାଇନ କ୍ଲାସ ଠାରୁ ମଧ୍ୟ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ବସବାସ କରୁଥିବା ୫ ହଜାରରୁ ଉର୍ଦ୍ଧ୍ବ ଲୋକମାନେ ବହୁ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତର କାନକୁଟ୍ରୁ , ମଟକେରା, ପଇକବୋରୀ, କାଲସୁର, ବଚକା, କୁମ୍ଭାରପଡ଼ା ଏବଂ ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ପାଇଁ ଏହିଭଳି ସମସ୍ୟା ଉପୁଜିଥିବା ଦେଖାଯାଇଛି। ଜରୁରୀ ସମୟରେ ଏହି ଗ୍ରାମର ଲୋକମାନେ ଗାଁ ଠାରୁ ୧୫ କିଲୋମିଟର ଦୂରକୁ ଆସି ମୋବାଇଲ ଯୋଗେ କଥାବାର୍ତ୍ତା କରିଥାନ୍ତି। ତେବେ ଜରୁରୀ ଆମ୍ବୁଲାନ୍ସକୁ ଫୋନ୍ କରିବା ପାଇଁ ଗ୍ରାମରେ ଲୋକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଛ କିମ୍ବା ପାହାଡ଼ ଉପରେ ଚଢି ମୋବାଇଲ ନେଟୱର୍କର ଅନୁସନ୍ଧାନ କରି ଫୋନ କରୁଥିବା ଦେଖିବାକୁ ମଳୁଛି। ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସଫଳ ମିଳୁନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେବେ ଆଗାମୀ ଦିନରେ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା କରାନଗଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟବର୍ଜନ କରିବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ତେବେ ଏହି ଅଞ୍ଚଳକୁ ଜିଲାପାଳ ତଥା ବିଧାୟକ, ସାଂସଦ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.