ନର୍ଲାରେ ଡାକ୍ତର ମରୁଡି: ୧୩ ଜଣଙ୍କ ସ୍ଥାନରେ ରହିଛନ୍ତି ମାତ୍ର ୫ ଜଣ

● ପୁଣି ଜଣେ ଡାକ୍ତରଙ୍କୁ ନର୍ଲାରୁ କାଢିନେଲେ ସିଡିଏମଓ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲାରେ ଏବେ ଡାକ୍ତର ମରୁଡି । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନର୍ଲାରେ ରହିଥିବା ୪ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମୁଦାୟ ୧୩ ଜଣ ଡାକ୍ତର ରହିବା କଥା ହେଲେ ଅଛନ୍ତି ମାତ୍ର ୫ ଜଣ ଡାକ୍ତର । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଡାକ୍ତର ରହିବାର ପ୍ରାବଧାନ ରହିଥିବା ବେଳେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ମାତ୍ର ୪ ଜଣ ଡାକ୍ତର । ତିନିଜଣ ଏଲୋପେଥିକ ଏବଂ ଜଣେ ଆୟୁଷ ଡାକ୍ତର । ନର୍ଲା ମୁଖ୍ୟ ଡାକ୍ତରଖାନାରେ ଏବେ ୫ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ଅନ୍ୟପକ୍ଷେ ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । ଅର୍ଥାତ ନର୍ଲାରେ ମୋଟ ୧୩ ଜଣ ଡାକ୍ତର ରହିବା କଥା ହେଲେ ବର୍ତ୍ତମାନ ରହିିଛନ୍ତି ମାତ୍ର ୫ ଜଣ ଡାକ୍ତର ଏବଂ ୮ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ନର୍ଲା ୨୬ ଗୋଟି ଗ୍ରାମ ପଞ୍ଚାୟତ ବିଶିଷ୍ଟ ଏକ ବଡ ବ୍ଲକ୍ ହୋଇଥିବା ବେଳେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୧୯ ଗୋଟି ଉପସ୍ୱାସ୍ଥ୍ୟ କେନ୍ଦ୍ର । ରୁପ୍ରା, ରୁପ୍ରାରୋଡ, ଉଲିକୁପା ଓ ପଲମ୍ ଏହି ୪ ଗୋଟି ସ୍ଥାନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ କେବଳ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାଡିଦେଲେ ବାକି ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେବ ଡାକ୍ତର ନାହାନ୍ତି । ଡାକ୍ତର ନଥିବା ଯୋଗୁଁ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡି ରହିଛି ରୁପ୍ରାରୋଡ, ରୁପ୍ରା ଓ ଉଲିକୁପା ସ୍ୱାସ୍ଥ୍ୟ କେନ୍ଦ୍ର । କେବଳ ଜଣେ ଜଣେ ଫାର୍ମାଶିଷ୍ଟ ଭରଷାରେ ଚାଲିଛି ଉପରୋକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ । ଅନ୍ୟପକ୍ଷେ ନର୍ଲା ସ୍ୱାସ୍ଥ୍ୟ ସେବାର ଏଭଳି ଦୟନୀୟ ପରିସ୍ଥିତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିଚିତ୍ର ନୀତିକୁ ଦେଖିଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ର କରୁଣ ପରିଣତି ବେଶ ଅନୁମେୟ । ଅନ୍ୟପକ୍ଷେ ରାଜ୍ୟ ସରକାର ଘୋଷଣା କରୁଛନ୍ତି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି । ଆଉ ନର୍ଲା ଅଞ୍ଚଳର ଡାକ୍ତରଖାନା ଗୁଡିକ ରେ ଡାକ୍ତର ନଥିବା ବେଳେ ରୁପ୍ରାରୋଡ ଭଳି ଅତ୍ୟାବଶ୍ୟକ ସ୍ଥାନର ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଅଙ୍କିତ ମହାନ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମ.ରାମପୁର ବ୍ଲକର ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଛନ୍ତି । ଆଉ ମ.ରାମପୁର ହେଡକ୍ୱାଟର୍ସର ଡାକ୍ତର ରାଜେଶ ମହାରଣାଙ୍କୁ ରୁପ୍ରାରୋଡରେ କିଛିଦିନ ପାଇଁ ଡେପୁଟେନରେ ନିଯୁକ୍ତି ଦେଇଥିଲେ ସିଡିଏମଓ ହେଲେ ଗତ ନଭେମ୍ବର ମାସରେ ଡ.ମହାରଣାଙ୍କୁ ତାଙ୍କ ମୂଳ ସ୍ଥାନ ମ.ରାମପୁର ଡାକ୍ତରଖାନାକୁ ଫେରାଇ ନେଇଛନ୍ତି । ବର୍ତ୍ତମାନ ରୁପ୍ରାରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଯଥା ପୂର୍ବଂ ତଥା ପରଂ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ଜଣେ ଡାକ୍ତର ରହି ସ୍ୱାସ୍ଥ୍ୟ ସେବା ଯୋଗାଇବା କଥା । ହେଲେ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ଥାୟୀ ଡାକ୍ତର ଡ.ବନମାଳି ସାହୁ କାର୍ଯ୍ୟରତ ରହିଥିବା ବେଳେ ସିଡିଏମ୍ଓ ସେଇଠି ଦୁଇଜଣ ଡାକ୍ତରଙ୍କୁ ଅବସ୍ଥାପିତ କରିଛନ୍ତି । କଥା ସେତିକିରେ ସରିନି । ଗତ ନଭେମ୍ବର ୨୮ ତାରିଖରେ ଏସ୍ସି କୋଟାରେ ସଞ୍ଜୟ ସିକ୍କା ନାମକ ଜଣେ ଡାକ୍ତର ନର୍ଲାରେ ନିଯୁକ୍ତି ପାଇଥିଲେ କିନ୍ତୁ ସିଡିଏମଓ ପୁଣି ତାଙ୍କୁ ଗୋଲାମୁଣ୍ଡା ଡେପୁଟେସନରେ ନେଇଯାଇଥିବା ଜଣାପଡିଛି । ଡ. ସିକ୍କା ନର୍ଲା ଡାକ୍ତର ଭାବରେ ଦରମା ପାଇବେ କିନ୍ତୁ ଡୁ୍ୟଟି କରିବେ ଗୋଲାମୁଣ୍ଡାରେ । ନର୍ଲା ଡାକ୍ତରଖାନାରେ କାଗଜ ପତ୍ରରେ ଡାକ୍ତର ଅଛନ୍ତି ହେଲେ ମଣିଷ ନାହାନ୍ତି । ସିଡିଏମଓ ଚିଠି କରିବାରୁ ଏଠି ନିଯୁକ୍ତି ପାଇଥିବା ଡାକ୍ତର ଡ.ସିକ୍କାଙ୍କୁ ଙ୍କୁ ମୁଁ ରିଲିଫ କଲି ବୋଲି ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥି କହିଥିବା ବେଳେ ଏ ବିଷୟରେ ସିଡିଏମଓ ପ୍ରତାପ ବେହେରାଙ୍କୁ ପଚାରିବାରୁ ଏହା ମୁଁ କରିନାହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ କରିଛନ୍ତି ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.