ଆଜିଠୁ ରାୟଗଡ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଇଭିଏମ ଓ ଭିଭିପାଟ ସଚେତନତା ଅଭିଯାନ

ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଲେ ରାୟଗଡ ଜିଲ୍ଲାପାଳ

ରାୟଗଡ,୫/୩ : ଚଳିତ ବର୍ଷର ନିର୍ବାଚନରେ ଭୋଟଦାନ ପକ୍ରିୟାକୁ ସ୍ୱଚ୍ଛତାର ସହ ସମାପନ କରିବା ପାଇଁ ବ୍ୟବହୃତ ହେଉଥିବା ଇଭିଏମ ମେସିନ ଓ ଭିଭିପାଟର ସଚେତନତା ଅଭିଯାନ ତଥା ପ୍ରଦର୍ଶନ ଜିଲ୍ଳାର ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ମାର୍ଚ୍ଚ ୬ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିଜ କାର୍ଯ୍ୟାଳୟର ସଦଭାବନା ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥି ନିମନ୍ତେ ପ୍ରତି ବିଧାନସଭା ମଣ୍ଡଳୀକୁ ୭ଟି ଲେଖାଁଏ ସୁସଜ୍ଜିତ ଗାଡି, ଇଭିଏମ ଓ ଭିଭିପାଟ ସହ ମୋଟ ୨୧ଟି ଗାଡି ମୁତୟନ କରାଯାଇଛି । ପ୍ରଦର୍ଶନ ନିମନ୍ତେ ସ୍ୱତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀ ଏବଂ ସୁରକ୍ଷା କର୍ମୀ ମଧ୍ୟ ମୁତୟନ କରାଯାଇଥିବା ଜିଲ୍ଳାପାଳ ଶ୍ରୀ ବେହେରା କହିଛନ୍ତି । ପ୍ରତି ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଥି ନିମନ୍ତେ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି । ମାର୍ଚ୍ଚ ୬ତାରିଖ ସକାଳ ୮ଘଟିକା ସମୟରେ ଜିଲ୍ଳା ସଦର ମହକୁମା,ଗୁଣପୁର ଉପଖଣ୍ଡର ସଦର ମହକୁମା ତଥା ପ୍ରତି ବ୍ଳକ ସଦର ମହକୁମା ଠାରେ ଦ୍ୱିତୀୟ ପର୍ଯ୍ୟାୟର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ପରେ ତାହା ଗାଁ ଗାଁ ବୁଲି ଜନ ସଚେତନତା ସୃଷ୍ଟି କରିବ ବୋଲି ଜଣାପଡିଛି । ସେହିପରି ଆସନ୍ତା ମାର୍ଚ୍ଚ ୧୦ତାରିଖରେ ସ୍ୱତନ୍ତ୍ର ଅଭିଯାନ ଦିବସ ପାଳନ କରିବା ସହ ପ୍ରତି ବ୍ଳକ, ଉପଖଣ୍ଡ ଓ ଜିଲ୍ଳା ସ୍ତରରେ ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କରାଯିବ । ସମସ୍ତ ନିର୍ବାଚିତ ପ୍ରତିନିଧି, ସାମ୍ବାଦିକଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରାଧାନ୍ୟ ଦେବା ସହ ଏହି ସଂକ୍ରାନ୍ତରେ ଥିବା ସନ୍ଦେହ ଦୂର କରି ମକପୁଲରେ ଅଂଶଗ୍ରହଣ କରିବାର ସୁଯୋଗ ଯୋଗାଇ ଦିଆଯିବ । ରାୟଗଡ ଜିଲ୍ଳାରେ ପ୍ରଥମ ପର୍ଯ୍ୟାୟ ଇଭିଏମ ଓ ଭିଭିପାଟ ସଚେତନତା ତଥା ମକପୁଲ ଗତ ଜାନୁୟାରୀ ୭ର ଫେବୃୟାରୀ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୧ଟି ଭ୍ରାମ୍ୟମାଣ ଦଳ ନିଯୁକ୍ତ ହୋଇଥିଲେ । ଜିଲ୍ଳାର ୮୭୧ଟି ବୁଥର ମୋଟ ୨୬୬୭ଟି ଗ୍ରାମ ଓ ପଡାରେ ପ୍ରଦର୍ଶନ କରାଯାଇ ମୋଟ ୧ଲକ୍ଷ ୬୫ହଜାର ୯୭୪ଜଣଙ୍କୁ ସଚେତନ କରାଯାଇ ମକପୁଲରେ ସାମିଲ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ବୁଥ ଅଧିକାରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଶିକ୍ଷକଙ୍କ ମାଧ୍ୟମରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହ ଭିଭିପାଟ ପ୍ରଦର୍ଶନରେ ସାମିଲ କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିବା ଜିଲ୍ଳାପାଳ ଶ୍ରୀ ବେହେରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରାୟଗଡ ଜିଲ୍ଳାରେ ଗତ ସେପ୍ଟେମ୍ବର ୧ ରୁ ଡିସେମ୍ବର ୧୫ ମଧ୍ୟରେ ଅନୁଷ୍ଠିତ ଭୋଟର ତାଲିକା ସଂଶୋଧନରେ ଜିଲ୍ଳାରେ ମୋଟ ୧୦,୯୦୬ଜଣ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଫେବୃୟାରୀ ୨୨ତାରିଖ ଠାରୁ ଭୋଟର ତାଲିକାର ନିରବଚ୍ଛନ ଅଧୁନାତନ ନିମନ୍ତେ ଫର୍ମ ଗ୍ରହଣ କରାଯାଉଛି । ତା.୧.୧.୨୦୧୮ସୁଦ୍ଧା ରାୟଗଡ ଜିଲ୍ଳାର ଭୋଟର ସଂଖ୍ୟା ୬ଲକ୍ଷ ୪୮ହଜାର ୫୧୬ ଥିବା ବେଳେ ୨୧.୧.୨୦୧୯ରେ ପ୍ରକାଶିତ ତାଲିକା ଅନୁଯାୟୀ ୧.୧.୨୦୧୯ସୁଦ୍ଧା ୬ଲକ୍ଷ ୫୯ହଜାର ୪୨୨ରେ ପଂହଚିଛି । ନିର୍ବାଚନ ଘୋଷଣା ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଦ୍ୟାବଧି ୭ହଜାର ୬୭୧ଜଣଙ୍କ ଠାରୁ ନାମ ଯୋଗ ନିମନ୍ତେ ଦରଖାସ୍ତ ହସ୍ତଗତ ହୋଇ ଯୋଗ ନିମନ୍ତେ ପ୍ରକିୟା ଚାଲୁ ରହିଛି । ଆଗାମୀ ନିର୍ବାଚନରେ ଭିଭିପାଟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ରାୟଗଡ ଜିଲ୍ଳାରେ ବ୍ୟାପକ ଜନସଚେତନତା ଓ ପ୍ରଦର୍ଶନ ପ୍ରତି ପଦକ୍ଷେପ ନିଆଯାଉଥିବା ବେଳେ ପାଖାପାଖି ୩୦୦ଟି ବୁଥ କ୍ରିଟିକାଲ ଥିବା ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର,ଭାରପ୍ରାପ୍ତ ନିର୍ବାଚନ ବିଭାଗ ଅଧିକାରୀ ନାରାୟଣ ମିଶ୍ର ଓ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଆରଟିଓ ଦିଲ୍ଳୀପ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.