କଳାହାଣ୍ଡି, (ବର୍ଦ୍ଧମାନ ଜୈନ): ଆଜି ଉତ୍କେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଝିକମିକି ଗ୍ରାମର ରୋଷନୀ ସୁନା ନାମକ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ଏକ ଦୃତଗାମୀ ଟ୍ରକ ବାଇକକୁ ପଛ ପଟୁ ଧକ୍କା ଦେବା ଫଳରେ ନାବାଳକଙ୍କ ମୃତ୍ୟୁ ଓ ବାଇକ ଚାଳକ ଆହତ ହୋଇ ପଡ଼ିଥିଲେ । ଯାହାକୁ ନେଇ ଉତ୍ୟକ୍ତ ଜନତା ଭବାନୀପାଟଣା – ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥକୁ ଦିର୍ଘ ତିନି ଘଣ୍ଟା ଧରି ଅବରୋଧ କରିଥିଲେ । ଖବର ପାଇ କେସିଙ୍ଗା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କର ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ଟଙ୍କା ଓ ନୀୟମ ଅନୁଯାୟୀ ଉଦ୍ଦିଷ୍ଟ ସରକାରୀ ସହାୟତା ପ୍ରଦାନ କରାଯିବାର ନିର୍ଭର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା । ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ମଟରସାଇକେଲ ଓ ଟ୍ରକଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଲାଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ବ୍ଲକ ଦାଦପୂର ପଞ୍ଚାୟତ ଝିକମିକି ଗାଁର ଆଶିଷ ବାଗ ଓ ନାବାଳିକା ରୋଷନୀ ବାଇକ ଯୋଗେ ଯାଉଥିବା ସମୟରେ କେସିଙ୍ଗା ଥାନା ଅଧିନସ୍ଥ ଉତ୍କେଲା ମହାବିଦ୍ୟାଳୟ ସମ୍ମୁଖ ୨୬ ନଂ ଜାତୀୟ ରାଜପଥ ନିକଟରେ ସେମାନଙ୍କୁ ଓଆର୦୩ ଏ ୯୦୧୭ ନମ୍ବର ବିଶିଷ୍ଟ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଏଥିରେ ଆଶିଷ ଆହତ ହୋଇଥିବା ବେଲେ ରୋଷନୀଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରୋଷନୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ବର୍ଗ ଓ କିଛି କଲେଜ ଛାତ୍ର ଘଟଣା ସ୍ଥଳରେ ଟାୟାର ଜାଳି ତିନି ଘଣ୍ଟା ରାଜରାସ୍ତା ଅବରୋଧ କରିଥିଲେ ।