କଳାହାଣ୍ଡିରେ ଚାଞ୍ଚଲ୍ୟ: ଅଭିଯୁକ୍ତଙ୍କ ଆକ୍ରମଣରେ ଥାନା ଅଧିକାରୀ ଆହତ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ଯାଇଥିବା ବେଳେ ଉକ୍ତ ଅଭିଯୁକ୍ତ ଓଏଚପିସି କର୍ମଚାରୀ  ଜୟପାଟଣା ଥାନାର ନୂତନ ଥାନା ଅଧିକାରୀ ବାସୁଦେବ ଛତ୍ରୀଆଙ୍କୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଥାନାଧିକାରୀ ଶ୍ରୀ ଛତ୍ରୀଆ ଆହତ ହୋଇଛନ୍ତି । ଏହି ଘଟଣା ଜଣା ପଡିବା ପରେ କଳାହାଣ୍ଡିରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟରତ କର୍ମଚାରୀ କୁଳମଣି ରଥ ନିଜସାଥି କର୍ମଚାରୀ କାଳୁଚରଣ ଭୂୟାଁ(୫୦) ଓ ତାଙ୍କ ପୁଅ ଦୀପ୍ତିକୃଷ୍ଣ ଭୂୟାଁ(୨୮)ଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲା । ଦୁଇ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ନେଇ ଜୟପାଟଣା ଥାନାରେ ଅଭିଯୋଗ ପରେ କୁଳମଣିଙ୍କୁ ଗିରଫ କରିବା ପାଇଁ ପୋଲିସ ମୁଖୀଗୁଡା ପହଂଚି ଥିଲା । କିନ୍ତୁ ଗିରଫ କଲା ବେଳେ କୁଳମଣି ଅତର୍କିତ ଭାବେ ଥାନା ଅଧିକାରୀ ଶ୍ରୀ ଛତ୍ରୀଆଙ୍କୁ ଛୁରୀରେ ମାଡ଼ ମାରିଥିଲା । ମାଡ଼ରେ ଥାନା ଅଧିକାରୀଙ୍କ ମୁହଁରେ ଆହତ ଲାଗିଛି, ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଚିକିତ୍ସା କରାଯାଇଛି । ତେବେ ପୂର୍ବ ଥାନା ଅଧିକାରୀଙ୍କ ବଦଳି ପରେ ଶୁକ୍ରବାର ସନ୍ଧ୍ୟାରେ ନୂତନ ଥାନାଧିକାରୀ ଭାବେ ଶ୍ରୀ ଛତ୍ରୀଆ ଜୟପାଟଣା ଥାନାରେ ଯୋଗ ଦେଇଥିଲେ । ସେ ଭବାନୀପାଟଣା ସଦର ଥାନାରୁ ଆସିଥିଲେ । ତେବେ ଆଇନର ରକ୍ଷକଙ୍କୁ ଏପରି ଭାବରେ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.