କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ବିଦ୍ୟାଳୟ ସ୍ତରରୁ ରେଡ଼କ୍ରସ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜୁନିୟର ରେଡ଼ କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ନନ୍ଦପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦପୁର, ଓଡିଶା ଆଦର୍ଶ ବିଦ୍ୟାଳୟ ନନ୍ଦପୁର, ନେତାଜୀ ଉଚ୍ଚ ବିଦ୍ୟାଳୟ ଥୁବା, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭେଜା, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖମରା ପରିଦର୍ଶନ କରି ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ କାର୍ଯ୍ୟ ତଦାରଖ କରିଥିଲେ। ନନ୍ଦପୁର ବ୍ଲକ ଜୁନିୟର ରେଡ଼କ୍ରସ ସଂଯୋଜକ ଶ୍ରୀ ପ୍ରସନ୍ନ କୁମାର ଦାଶ ମଧ୍ୟ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ସହଯୋଗ କରିଥିଲେ। ଏହି ଅବସରରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭେଜା ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖମରାଠାରେ ନୂତନ ଭାବେ ଜୁନିୟର ରେଡ଼ କ୍ରସ ଶାଖା ଗଠନ କରାଯାଇଥିଲା। ବିଦ୍ୟାଳୟମାନଙ୍କରେ କିଭଳି ଜୁନିୟର ରେଡ଼ କ୍ରସ କମିଟି ଗଠନ ହେବ ସେ ବିଷୟରେ ଶ୍ରୀ ପଣ୍ଡା ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଇଥିଲେ। ଜୁନିୟର ରେଡ଼ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ମଧ୍ୟ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ନିଜ ନିଜ ବିଦ୍ୟାଳୟରେ ତ୍ୱରାନ୍ୱିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ପଣ୍ଡା, ବେଣୁଗୋପାଳ ବେହେରା, ସୁରେନ୍ଦ୍ର ବେନିଆ, ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜୁଲତା ଗରଡା, ଅଧ୍ୟକ୍ଷା ଦେବୀ ପ୍ରତିମା ଜେନା ଏବଂ ଶିକ୍ଷକ ତଥା ସ୍ବେଚ୍ଛାସେବୀ ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ସାମିଲ ହୋଇ ବ୍ଲକରେ ରେଡ଼କ୍ରସ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମତବ୍ୟକ୍ତ କରିଥିଲେ।