ଫେବୃଆରୀ ୧୫ରୁ ୱେବ୍ସାଇଟ୍ରୁ ଡାଉନଲୋଡ଼ କରିପାରିବେ ଆଡମିଟ୍ କାର୍ଡ
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଦର୍ଶ ବିଦ୍ୟାଳୟରେ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ପାଠ ପଢ଼ିବା ଲାଗି ମାର୍ଚ୍ଚ ୪ରେ ପ୍ରବେଶିକା (ଏଣ୍ଟ୍ରାନ୍ସ) ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ପ୍ରବେଶିକା ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ଫେବୃଆରୀ ୧୫ (ମଙ୍ଗଳବାର) ଠାରୁ ବୋର୍ଡ ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବଧ୍ ହେବ ବୋଲି ସୂଚନା ମିଳିଛି ।ପରୀକ୍ଷାର୍ଥୀମାନେ ସେମାନଙ୍କ ନାଁ, ବାପାଙ୍କ ନାଁ ଏବଂ ଶ୍ରେଣୀ ଲେଖି ଏହି ୱେବ୍ସାଇଟ୍ରୁ ଆଡମିଟ୍ କାର୍ଡ ଅପଲୋଡ୍ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ବୋର୍ଡ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷାରେ ମଲ୍ଟିପୁଲ୍ ଚଏସ ପ୍ରଶ୍ନ ପଡ଼ିବ । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ ଇଂରାଜୀ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ରହିବ । ପରୀକ୍ଷା ୫୨ ନମ୍ବର ବିଶିଷ୍ଟ ହେବ । ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ଲାଗି ପ୍ରବେଶିକା ପରୀକ୍ଷାରେ ଇଂରାଜୀ, ଓଡ଼ିଆ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ପ୍ରଶ୍ନପତ୍ର ରହିବ । ଉକ୍ତ ୩ଟି ଯାକ ଶ୍ରେଣୀ ପ୍ରବେଶିକା ପରୀକ୍ଷାର ମୋଟ ନମ୍ବର ୧୦୦ ରହିଛି । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ୧୨ଟା ଯାଏ ଚାଲିବ । ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ଓଏମ୍ଆର ଉତ୍ତର ସିଟ୍ରେ ବ୍ଲୁ ଏବଂ ବ୍ଲାକ୍ ପେନ୍ ବ୍ୟବହାର କରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।