ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ତ୍ରିସ୍ତରୀୟ ନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ପୁରା ଦମରେ ଲାଗି ପଡ଼ିଛନ୍ତି ତିନି ପ୍ରମୁଖ ଦଳ । ଏହି କ୍ରମରେ କୋକସରା ବ୍ଲକ୍ ବିଜେପିର ଦଳିୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ପ୍ରଖ୍ୟାତ ଓଡ଼ିଆ ସିନେ ଅଭିନେତା ତଥା ବିଜେପିର ଷ୍ଟାର ପ୍ରଚାରକ ଅଶ୍ରୁ ମୋଚନ ମହାନ୍ତି ।ଆଜି କୋକସରା ବ୍ଲକ ୧ ନମ୍ବର ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସନ୍ତୋଷ ମାଝୀ ଓ ୨ ନମ୍ବର ଜୋନ ପ୍ରାର୍ଥୀ ଜନାର୍ଦ୍ଦନ ପଣ୍ଡାଙ୍କ ପାଇଁ ଅଶୃମୋଚନ ପ୍ରଚାର କରିଛନ୍ତି । କୋକସରା ବ୍ଲକର ଚିଲିଗୁଡା, ଛିଲିପାମାଲ, ଝରିଆଗୁଡା, ଟେମରା, ରଏନଗୁଡା, କେନ୍ଦୁଗୁଡା ଆଦି ବିବିଧ ସ୍ଥାନରେ ସେ ନିର୍ବାଚନ ପ୍ରଚାର କରି ମୋଦି ସରକାରଙ୍କ ହାତ ମୁଠା ଟାଣ କରିବା ସହ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟର୍ସଙ୍କୁ ଅନୁରୋଧ କରିଥିଲେ । ତାଙ୍କ ସହ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପାଟଯୋଶୀ, ଅର୍ଜୁନ ଭାଟି, ତ୍ରିନାଥ ଶବରଙ୍କ ସମେତ ଦଳିୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଓଡ଼ିଆ ସିନେ ଜଗତର ଏହି ମହାନ ଅଭିନେତାଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିର ୩୬ ଗୋଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୩ଟି ଆସନ ହାତେଇଥିଲା ବିଜେପି । ସେହି ସମୟରେ କଂଗ୍ରେସ ମାତ୍ର ଦୁଇଟି ଓ ବିଜେପି ଗୋଟିଏ ଆସନ ପାଇ ସନ୍ତୁଷ୍ଟ ହୋଇଥିଲା । ଏଣୁ ଏଥର ଗଡରକ୍ଷା କରିବାକୁ ଲାଗି ପଡିଛି ବିଜେପି । ଏପଟେ ଗଡ ଦଖଲ କରିବାକୁ ବ୍ୟୁହ ରଚନା କରିଛି ବିଜେଡି । କଂଗ୍ରେସ ମଧ୍ୟ ପ୍ରୟାସ ଜାରି ରଖିଛି ।