ସୌର ପ୍ରକଳ୍ପ ଅଛି କିନ୍ତୁ କରୁନି କାମ: ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଦର ମହକୁମାଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଫିରିଙ୍ଗିଆ ପଞ୍ଚାୟତର ଖଜୁରୀପଡ଼ା ସାହିରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏହି ଗାଁରେ ଏକ ସୌର ପ୍ରକଳ୍ପ ଥିବା ସତ୍ତ୍ବେ ଏହା କାର୍ଯ୍ୟକାରୀ ହେଉନାହିଁ । ଖରାଦିନ ନ ଆସୁଣୁ ଏହି ଗାଁରେ ପାନୀୟ ଜଳ ସସମ୍ୟା ଉତ୍କଟ ରୂପ ଧାରଣ କରିଛି । ଏହି ଗାଁରେ ପାଖାପାଖି ଶହେ ପରିବାର ବାସ କରନ୍ତି ଏବଂ ଗାଁର ଜନସଂଖ୍ୟା ୫୦୦ । ଦଶବର୍ଷ ତଳେ ଏହି ଗାଁରେ ଏକ ନଳକୂପ ଖନନ କରାଯାଇଥିଲା । ‌ମାତ୍ର, ଅଧିକାଂଶ ସମୟରେ ନଳକୂପଟି ଅଚଳ ରହୁଥିବାରୁ ଗାଁଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶା‌ ଭୋଗୁଥିଲେ । ଗାଁ ଲୋକଙ୍କ ଜଳକଷ୍ଟକୁ ଲକ୍ଷ୍ୟ କରି ଗତ ୨୦୨୦ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ପୂର୍ବରୁ ଥିବା ନଳକୂପ ସହିତ ଏହି ପ୍ରକଳ୍ପକୁ ସଂଯୋଗ କରାଯାଇଥିଲା । କିନ୍ତୁ ବିଭାଗୀୟ ଅବ‌ହେଳା କାରଣରୁ ପ୍ରକଳ୍ପଟି ମାତ୍ର ଏକ ମାସ ଚାଲିବା ପରେ ବନ୍ଦ ହୋଇଗଲା । ଯେଉଁ ଉଦ୍ଦେଶ୍ୟ ନେଇ ଗ୍ରାମରେ ଏହି ସୌର ପ୍ରକଳ୍ପଟି ଆରମ୍ଭ ‌ହୋଇଥିଲା, ତାହା ଅଧାରୁ ଅଟକିଗଲା । ଏଣୁ ଗ୍ରାମବାସୀ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ସେହି ପୁରୁଣା ନଳକୂପ ଉପରେ ନିର୍ଭର କରୁଛନ୍ତି । ଠିକ୍‌ ଏତିକି ବେଳକୁ ନଳକୂପଟି ଅଚଳ ହୋଇ ଗ୍ରାମବାସୀଙ୍କୁ ମଝିରେ ମଝିରେ ଝଟ୍‌କା ଦେଉଛି । ନଳକୂପରୁ ଅତି କ୍ଷୀଣ ସ୍ରୋତରେ ପାଣି ବାହାରୁ ଥିବାରୁ ବାଲ୍‌ଟିଏ ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସମାଧାନ ହୋଇପାରୁନାହିଁ । ତୁରନ୍ତ ଏହି ସୌର ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମର ରାଜେଶ କୁମାର ଦିଗାଳ, ଦେବରାଜ ଦିଗାଳ, ନୀଳକଣ୍ଠ ଦିଗାଳ, ଭୋଳାନାଥ ଦିଗାଳ, ପ୍ରକାଶ ଦିଗାଳ, ନୟନୀ ଦିଗାଳ, ଲଳିତା ଦିଗାଳ, ବିନତୀ ଦିଗାଳ, ମୀନା ଦିଗାଳ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.