✒️ରଞ୍ଜିତ କୁମାର ସାହୁ
କିଏ ସେ ଢାଳୁଛି ତୂଳୀ ଧରି ହାତେ
ବନଖଣ୍ଡେ ଭରେ ଅପୂର୍ବ ଶୋଭା
ଶୀତଳ ସମୀରେ ପଦ ଚଲା ପଥେ
ନୟନ ନିହାରେ ନାରଙ୍ଗୀ ଆଭା !
ପକ୍ଷୀ କଳରବେ, ଗୁଞ୍ଜେ ଚଉଦିଗ
ନୀଡ଼କୁ ଫେରେ ଖଗ ଗୋଧୂଳିରେ
ଅଧରରେ ତା’ର ଜୀବନର ରାଗ
ଗାଈ ଜଗୁଆଳି ଭିଜେ ଧୂଳିରେ ।
ମାଳଭୂମି ହଜେ ବହ୍ନିର ଭ୍ରମରେ
ଦିଗନ୍ତ ଯାଏଁ ଝୁମେ ତରୁବର
ଫାଲଗୁନ ହସି ପଲାଶ ଦ୍ରୁମରେ
ମାଖେ ତହିଁରେ ରଙ୍ଗ ଅବିରର ।
ଘଡ଼ିଟିଏ ଲାଗି, ଅଟକି ଯାଆନ୍ତି
ଅଟକାଇ ମୁଁ ଯାତ୍ରା ଜୀବନର !
ଅସ୍ତରାଗ ରଙ୍ଗେ ରଞ୍ଜିତ ହୁଅନ୍ତି
ଅଟକି ଥିଲେ ଚକ୍ର ସମୟର ।