ପାରଲୋକରେ ଗାୟକ ପ୍ରଶାନ୍ତ ସାମନ୍ତରାୟ, ଆଉ ଶୁଭିବନି ଦେଶିଆ ସଂଗୀତର ସ୍ୱର

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଥମିଗଲା ‘ନାଚୁଲିରେ ନାଚୁଲି’ର ସ୍ବର ଓ ଆଉ ଶୁଭିବନି ଦଶହରା ମଞ୍ଚଳରେ ‘ଆସା ଆସା ଆସା ଜୁ ବେ ଦଶର ଦେଖା’ ଗୀତ। ଆଦିବାସୀ ସଙ୍ଗୀତ ଜଗତର ଶ୍ରେଷ୍ଠ କଳାକାର ତଥା ଗାୟକ ପ୍ରଶାନ୍ତ ସମାନ୍ତରାୟ ଆଉ ନାହାନ୍ତି । ଆଜି ସକାଳ ୯ଟା ବେଳେ ବିଶାଖାପାଟଣାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଶ୍ରୀ ସମାନ୍ତରାୟଙ୍କ ବିୟୋଗରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ଶ୍ରୀ ସାମନ୍ତରାୟଙ୍କ ଘର । ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ଜୟପୁରର ଘରୋଇ କ୍ଲିନିକରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ବିଶାଖାପାଟଣା ଯିବାକୁ ପରାମର୍ଶ ଦେଇଥିଲେ । ଏହାପରେ ରାତି ୯ଟାରେ କାରରେ ବିଶାଖାପାଟଣାକୁ ଯାଇଥିଲେ । ରାତିରେ ବିଶାଖାପାଟଣାରେ ପହଞ୍ଚି ଗୋଟିଏ ହୋଟେ‌ଲରେ ରହିଥିବା ବ‌େଳେ ସକାଳ ୯ଟା ବେଳ‌େ ଘରୋଇ ଚିକିତ୍ସାଳୟକୁ ଯାଉଥିଲେ । ଲିଫ୍ଟରେ ଯିବା ସୟମରେ ହଠାତ୍ ଟଳିପଡିଥିଲେ । ଏହାପରେ ଡାକ୍ତରଙ୍କୁ ନେଇ ଦେଖାଇବା ପରେ ସେ ମୃତ ଘୋଷଣା କରିଥିଲେ । ତାଙ୍କର ମୃତଦେହ ସ୍ବତନ୍ତ୍ର ଗାଡିରେ ଆସୁଥିବା ବ‌େ‌ଳେ ସନ୍ଧ୍ୟାରେ ଜୟପୁରଠାରେ ପହଞ୍ଚିବା ନେଇ ପରିବାରବର୍ଗ ସୂଚନା ଦେଇଛନ୍ତି । ସେ ଜୟପୁର ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ୟ କରୁଥିଲେ ଏବଂ ଜୟପୁର ବନାଞ୍ଚଳ ଅଧିକାରୀ ଦାୟିତ୍ବରେ ବର୍ତ୍ତମାନ ରହିଥିଲେ । ସେ ଜଙ୍ଗଲ ବିଭାଗର ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବ‌େ ବେଶ୍ ପରିଚିତ ଥିବା ବେଳେ ଆଦିବାସୀ ସଙ୍ଗୀତ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏଥିସହ ଆକାଶବାଣୀ ଓ ଦୂରଦର୍ଶନରେ ସେ ସ୍ବୀକୃତୀପ୍ରାପ୍ତ କଳକାର ଥିଲେ । ସେ ଦୀର୍ଘ ୪୦ ବର୍ଷ ଧରି ସଙ୍ଗୀତ ଜଗତରେ ରହି ଆସିଛନ୍ତି । ଦେଶିଆ ଓ ଓଡ଼ିଆ ଭାଷାରେ ବହୁ ସଙ୍ଗୀତ ଗାନ କରିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବହୁ ସ୍ଥାନରେ ‌ମଞ୍ଚରେ ସଙ୍ଗୀତ ଗାନ କରିଛନ୍ତି । ‘ଡୁଙ୍ଗ ଡୁଙ୍ଗା ବାଜୁଲିରେ ବାଜୁଲି, ପରଜା ପିଲା ଏବେ ନାଚୁଲିରେ ନାଚୁଲି’ ଭଳି ବହୁ ମନଛୁଆ ସଙ୍ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା । ତାଙ୍କର ପରଲୋକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ କଳକାର ଶୋକ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.