ନର୍ଲା ଜୋନ୍-୧ରେ ବାଜିଲା ଶଙ୍ଖ, ବିଜେଡିର ନମ୍ରତା ସାହୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ହେଲେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନର୍ଲା ଜୋନ୍ ନଂ-୧ର ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ ନମ୍ରତା ସାହୁ । ୨୦୧୭ରେ ବିଜେପି ହାତକୁ ଯାଇଥିବା ନର୍ଲା-୧ ଜୋନ୍ ୨୦୨୨ରେ ବିଜେଡି ଦଖଲକୁ ଆସିଛି । ନମ୍ରତାଙ୍କ ବିଜୟ ସହ ଏହି ଜୋନରେ ବିଜେପି ଦୁର୍ଗ ଭୁଷୁଡି ପଡିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନର୍ଲା-୧ ଜୋନ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା । ଏଥିରେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ, ବିଜେଡି ପ୍ରାର୍ଥୀନୀ ନମ୍ରତା ସାହୁ, କଂଗ୍ରେସ ପ୍ରାର୍ଥୀନୀ ଜ୍ୟୋତି ବେହେରା ଓ ଆପ୍ ପ୍ରାର୍ଥୀନୀ ଯାଜ୍ଞସେନୀ ସାହୁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ଦ୍ବିତୀୟ ପର୍ଯ୍ୟାୟ ୧୮ ଫେବୃଆରୀରେ ମତଦାନ ହୋଇଥିବାବେଳେ ଶନିବାର (୨୬ ଫେବୃଆରୀ) ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଓ ଫଳିଫଳ ଘୋଷଣା ହୋଇଛି । ବିଜେଡି ପ୍ରାର୍ଥୀନୀ ନମ୍ରତା ସାହୁ ମୋଟ ୯୫୯୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ ୭୦୯୯ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଭାବେ କଂଗ୍ରେସ ପ୍ରାର୍ଥୀନୀ ଜ୍ୟୋତି ବେହେରା ୩୨୩୫ ଖଣ୍ଡ ଭୋଟ ପାଇ ତୃତୀୟ ଓ ଆପ୍ ପ୍ରାର୍ଥୀନୀ ଯାଜ୍ଞସେନୀ ସାହୁ ୬୮୭ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ଜୋନରେ ବିଜେଡିର ନମ୍ରତା ସାହୁ ୨୪୯୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁଙ୍କୁ ପରାଜିତ କରି ନର୍ଲା ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ହେବାର ଗୈାରବ ଅର୍ଜନ କରିଛନ୍ତି । ନର୍ଲାରେ ତିନୋଟି ଜିଲ୍ଲା ପରିଷଦ ଜୋନ୍ ଥିବାବେଳେ ପ୍ରଥମେ ଜୋନ୍-୧ରେ ବିଜେଡି ଖାତା ଖୋଳିଥିବାରୁ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.