ନର୍ଲା ମେଡିକାଲରେ କାୟାକଳ୍ପ ମୂଲ୍ୟାୟନ ଟିମ୍

ଡାକ୍ତରଖାନାର ସମସ୍ତ ସ୍ଥିତି ପରଖି କଲେ ସନ୍ତୋଷ ବ୍ୟକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ଓ ରାଜ୍ୟସରକାର ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇ ପ୍ରତ୍ୟେକ ଡାକ୍ତରଖାନା ପରିସରକୁ ସ୍ୱଚ୍ଛ ନିର୍ମଳ ରଖିବା ଉପରେ ପ୍ରାଧାନ୍ୟତା ପ୍ରଦାନ କରୁଛନ୍ତି । ଏଥିପାଇଁ ଏକ ସ୍ୱଚ୍ଛତା, ପାରିପାର୍ଶ୍ବିକ ଅବଲୋକନକାରୀ ଦଳ (କାୟାକଳ୍ପ) ରାଜ୍ୟସ୍ତରୀୟ ମୂଲ୍ୟାୟନ ଦଳ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଡାକ୍ତରଖାନା ଗୁଡିକୁ ପରିଦର୍ଶନ କରି ମୂଲ୍ୟାୟନ କରୁଥିବା ସୂଚନା ମିଳିଛି । ଯେ କୌଣସୀ ବ୍ଲକ୍ ହେଡ କ୍ୱାଟର୍ସ କିମ୍ବା ଜିଲ୍ଲା ସ୍ତରୀୟ ଡାକ୍ତରଖାନା ୭୦ ପ୍ରତିଶତ ମୂଲ୍ୟ ପାଇଲେ ସେ କାୟାକଳ୍ପ ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବାର ପ୍ରାବଧାନ ରହିଛି । ସମସ୍ତ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ନର୍ଲା ଡାକ୍ତରଖାନା ୯୦ ପ୍ରତିଶତ ମୂଲ୍ୟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରେ ବୋଲି ନର୍ଲା ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସନତ କୁମାର ଶତପଥି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଏହି କ୍ରମରେ ବୁଧବାର ରାଜ୍ୟସ୍ତରୀୟ ଏହି କାୟାକଳ୍ପ ମୂଲ୍ୟାୟନ ତିନି ଜଣିଆ ପ୍ରତିନିଧି ଦଳ ଡା. ଡିଏସ୍ ଅରବିନ୍ଦ (ଜେଡି ଓଏସ୍ ଏସିଏସ୍), ଡା. ସଂଗ୍ରାମ କିଶୋର ଦାସ (ରାଜ୍ୟ କୃଷ୍ଠରୋଗ ସମୀକ୍ଷକ), ଡ଼ା. ରୁଦ୍ର ଦାସ ପ୍ରମୁଖ ମୂଲ୍ୟାୟନ କାରୀ ଦଳ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସି ଡାକ୍ତରଖାନାର ପରିବେଶ, ଡାକ୍ତରଖାନା ଭବନ, ତଥା ଡାକ୍ତରଖାନା ସମସ୍ତ ଆନୁସଙ୍ଗିକ ପ୍ରସଙ୍ଗ ଗୁଡିକୁ ପରଖି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଦଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ରଞ୍ଜନ ମିତ୍ର ମଧ୍ୟ କାୟାକଳ୍ପ ତଦାରଖ ଦଳ ସହିତ ସାମିଲ ରହିଥିଲେ । ନର୍ଲା ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନତ କୁମାର ଶତପଥିଙ୍କ ନେତୃତ୍ୱରେ ଏବଂ ବିପିଏମ୍ ସବୀର ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନର୍ଲା ସହକାରୀ ଡାକ୍ତର କୁନାଲ ସାହୁ, ଆୟୁଷ ଡାକ୍ତର ଡ଼ା. ଚନ୍ଦ୍ରାକର ଏବଂ ନର୍ଲା ଡାକ୍ତରଖାନାର ସମସ୍ତ ଷ୍ଟାଫ୍ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାୟାକଳ୍ପ ମୂଲ୍ୟାୟନକାରୀ ଦଳଙ୍କୁ ଡାକ୍ତରଖାନା ବୁଲାଇ ଦେଖାଇବା ସହ ତାଙ୍କର ଦାଇତ୍ୱ ସୁଚାରୁ ରୁପେ ତୁଲାଇଥିଲେ । ମୂଲ୍ୟାୟନକାରୀ ଦଳ ସନ୍ତୋଷ ବ୍ୟକ୍ତ କରିଥିବା ମଧ୍ୟ ଜଣାପଡିଛି ।ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୮/୧୯, ୨୦୧୯/୨୦ ଓ ୨୦୨୦/୨୧ ତିନିବର୍ଷ ଧରି ଲଗାତାର ନର୍ଲା ଡାକ୍ତରଖାନା ସ୍ୱଚ୍ଛତା, ଉନ୍ନତ ମାନର ସେବା ପ୍ରଦର୍ଶନ ଓ ଡାକ୍ତରଖାନାରେ ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ କାୟାକଳ୍ପ ଟିମ୍ ଦ୍ୱାରା ଜିଲ୍ଲାରେ ଶ୍ରେଷ୍ଠ ପ୍ରତିପାଦିତ ହୋଇ ପୁରସ୍କୃତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.