ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ

୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ତିନିଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦନ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ମଙ୍ଗଳବାର ରାତିରେ ଦୋକାନ ମାଲିକ ମାନସ ପତି ଦୋକାନ ବନ୍ଦ କରି ଶିବରାତ୍ରି ପାଇଁ ମନ୍ଦିରକୁ ଯାଇଥିଲେ । ବିଳମ୍ବିତ ରାତି ପ୍ରାୟ ୩ଟା ବେଳକୁ ଦୋକାନରେ ନିଆଁ ଲାଗିଥିବା ନେଇ ଶିବ ମନ୍ଦିରରେ ଖବର ପହଞ୍ଚିଥିଲା । ଖବରପାଇ ମାନସ ଏବଂ ମନ୍ଦିରରେ ଥିବା ଅନ୍ୟ ଭକ୍ତ ମାନେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ସେହି ସମୟ ମଧ୍ୟରେ ଦୋକାନରେ ଲାଗିଥିବା ନିଆଁ ବହୁତ ଜୋରରେ ଜଳିବାକୁ ଲାଗିଥିଲା । ବହୁ କଷ୍ଟରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ କିନ୍ତୁ ନିଆଁ ଲିଭି ସାରିବା ବେଳକୁ ଦୋକାନରେ ଥିବା ପ୍ରାୟ ୪ଲକ୍ଷ ଟଙ୍କାର ନୂତନ ମୋବାଇଲ ସହିତ କମ୍ପ୍ୟୁଟର, ଜେରକ୍ସ ମେସିନ, ପ୍ରିଣ୍ଟର, ରିପେରିଙ୍ଗ ପାଇଁ ଆସିଥିବା ପୁରୁଣା ମୋବାଇଲ ସମେତ ଅନ୍ୟାନ୍ୟ ଯନ୍ତ୍ରାଂଶ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବେଳେ ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.