ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଭାରତୀୟ ରେଡ଼ କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟି କୋରାପୁଟର ମିଳିତ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ପରିସରରେ ଚାରିଦିନ ଧରି ଜାରି ରହିଥିବା ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ସାତ ଗୋଟି ଜିଲ୍ଲାର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନଙ୍କୁ ନେଇ ଏକ ଜୋନସ୍ତରୀୟ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଜାରି ରହିଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ପ୍ରଧାନ ଶିକ୍ଷକ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଓ ସମ୍ପାଦକ ଜିଲ୍ଲା ରେଡ଼କ୍ରସ ସୋସାଇଟି ଜ୍ଞାନଜିତ ତ୍ରିପାଠୀଏବଂ ସମ୍ମାନିତ ଅତିଥି ଭାବେ ମାନନୀୟା ପ୍ରଧାନ ଟୁଲୀ ଆମ୍ମା ଓ ସାଧନକର୍ମୀ ଭାବେ ପ୍ରାଥମିକ ଉପଚାର ପ୍ରଶିକ୍ଷକ ଡି. ଆଶିଷ ରାଠୋର ଯୋଗଦାନକରି ସାମ୍ପ୍ରତିକ ସ୍ଥିତିରେ ପ୍ରାଥମିକ ଚିକିତ୍ସାର ଉପାଦେୟତା, ନିଃସ୍ୱାର୍ଥପର ଭାବରେ ଆହତମାନଙ୍କୁ ପ୍ରାଥମିକ ସହାୟତା ପ୍ରଦାନ ଓ ପ୍ରାଥମିକ ଚିକିତ୍ସା ଜୀବନ ରକ୍ଷା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭୀମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ଦକ୍ଷିଣାଞ୍ଚଳର ୭ ଟି ଜିଲ୍ଲା ଯଥା-ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୨୩ ଜଣ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ। ପ୍ରଶିକ୍ଷାର୍ଥୀ ପଞ୍ଚାନନ ପାଣିଗ୍ରାହୀ, ପ୍ରକାଶିନୀ ଚୌଧୁରୀ, ସପନ କୁମାର ଦୀକ୍ଷିତ ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନେ ପ୍ରାଥମିକ ଉପଚାରର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।ଡାକ୍ତର ସୂର୍ଯ୍ୟ ଶେଖର ମିଶ୍ର ପ୍ରଶିକ୍ଷାର୍ଥୀ ମାନଙ୍କର ମୂଲ୍ୟାୟନ କରିଥିଲେ। ଶେଷରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷାର୍ଥୀ ହରେକୃଷ୍ଣ ମହାରଣା ଓ ଜ୍ୟୋତିରଞ୍ଜନ ନନ୍ଦ,ସଂଜୀବ କୁମାର ଦାଶ, ନାରାୟଣ ପାଇକରାୟଙ୍କ ଦ୍ୱାରା ପ୍ରସ୍ତୁତ ଏକ ପ୍ରଦର୍ଶନୀ ଓ କାନ୍ଥ ପ୍ରାଚୀରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ପଣ୍ଡା, ବିଶ୍ୱରଞ୍ଜନ ଗୌଡ଼, ସୁଜିତ କୁମାର ନାୟକ, ଦେବେନ୍ଦ୍ର ପାଢ଼ୀ, ଉମେଶ ବେହେରା, ତନବୀର ମହମ୍ମଦ, ଶିକ୍ଷୟିତ୍ରୀ ଶୁଭସ୍ମିତା ସାହୁ, କେ.ପ୍ରମିଳା, ସନ୍ତୋସିନୀ ପଣ୍ଡା, ରଶ୍ମିତା ନାହାକଙ୍କ ସମେତ ରଜନୀ କାନ୍ତ ଘଡେଇ ଓ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.