କମଳା ପାତ୍ର ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚିତ

ଭୁଶୁଡୁଛି ବଳଭଦ୍ର ମାଝୀଙ୍କ ଗଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୋଖରୀବନ୍ଧ ସମିତି ସଦସ୍ୟା କମଳା ପାତ୍ର ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ପ୍ରତିଦ୍ବନ୍ଦ୍ୱୀ ଶ୍ରୀମତୀ ମାଝୀଙ୍କୁ ହରାଇ ଏହି ପଦବୀରେ ଆସୀନ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଭୁର୍ଟିଗଡ଼ ନିବାସୀ ହରିଶଙ୍କର ପାତ୍ରଙ୍କ ଧର୍ମପତ୍ନୀ, ଭୁର୍ଟିଗଡ଼ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଭାବେ ଶ୍ରୀମତୀ କମଳା ପାତ୍ର ପୂର୍ବରୁ ଲୋକପ୍ରିୟତା ହାସଲ କରିଥିବା ବେଳେ ସେ ବ୍ଲକର ୨୬ଜଣ ସମିତି ସଦସ୍ୟଙ୍କ ମଧ୍ୟରୁ ୧୬ଜଣଙ୍କ ସମର୍ଥନ ପାଇଥିଲେ । ସେହିପରି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ଧର୍ମପତ୍ନୀ ତଥା କୁମଖାଲ ସମିତି ସଦସ୍ୟା ଶ୍ରୀମତୀ ଶ୍ରୀମତୀ ମାଝୀ ୧୦ଜଣଙ୍କ ସମର୍ଥନ ହାସଲ କରିଥିଲେ । ବିଶ୍ବନାଥପୁର ସ୍ଥିତ ଲାଞ୍ଜିଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆୟୋଜିତ ନିର୍ବାଚନରେ ଥୁଆମୂଳ ରାମପୁର ବିଡିଓ ଶୁଭକାନ୍ତ ନାୟକ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ । ପୂର୍ବରୁ ଏହି ପଦବୀରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପରିବାରର ଦବଦବା ରହିଥିବା ବେଳେ ଏବେ ତାଙ୍କ ଗଡ଼ ଭୁଶୁଡ଼ିବା ଆରମ୍ଭ କରିଛି ବୋଲି ରାଜନୈତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.