ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଅନେକ ସମୟରେ ନିଜସ୍ୱ କାର୍ଯ୍ୟକ୍ରମ ଲାଗୁ କରାଯାଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରଶାସନକୁ ଲୋକାଭିମୁଖୀ କରାଯିବାକୁ ପ୍ରଯତ୍ନ କରୁଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ । ଏହି କ୍ରମରେ ନୂତନ ଜନପ୍ରତିନିଧିମାନଙ୍କ ଯୋଗଦାନ ସୁନିଶ୍ଚିତ କରି ବ୍ଲକର ସମୁଚିତ ବିକାଶ ପାଇଁ ଆଜି ଆରମ୍ଭ କରାଯାଇଛି ‘ମୋ ପଞ୍ଚାୟତ’ କାର୍ଯ୍ୟକ୍ରମ । ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ସ୍ଥିତ ସମ୍ମିଳନୀ କକ୍ଷରେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିରାଡମ୍ବର ଉତ୍ସବରେ ମୁଖ୍ୟଅତିଥି ଭାବେ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରୱାନ, ମନରେଗା ଅମ୍ବୁଡସମେନ୍ ପରଂବ୍ରହ୍ମ ଯୋଷୀ, ଜିଲ୍ଲା ମନରେଗା ସଂଯୋଜକ ପାର୍ବତୀ ପଟ୍ଟନାୟକ, ମନରେଗା ଜିଲ୍ଲା ସାମାଜିକ ସମୀକ୍ଷକ ଶଶାଙ୍କ ଶେଖର ଭୋଇ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ଅତିରିକ୍ତ ମନରେଗା କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୀବ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୩ ଦଫା ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆସନ୍ତା ଛଅ ମାସ ମଧ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଆଦର୍ଶ ଗ୍ରାମ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଯେଉଁଠି ଲୋକଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ହୋଇପାରିବ । ଏହାସହିତ କିଛି ଆଖିଦୃଶିଆ, ସ୍ଥାୟୀ ଓ ନୂଆ ସଂଶାଧନ ସୃଷ୍ଟି କରାଯିବ । ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମଙ୍ଗଳବାର ଦିନ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ସୁନିଶ୍ଚିତ କରାଯିବା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଅପହଞ୍ଚ ଓ ଦୁର୍ଗମ ଗାଁ ଗୁଡିକରେ ‘ଗାଁକୁ ଚାଲ’ ଅଭିଯାନ ଜରିଆରେ ଜନ ଅଭିଯୋଗ ଶୁଣାଣି କରାଯାଇ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ ।ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯିବ ‘ଜଳ ସଂପର୍କ ଅଭିଯାନ’ । ଏହାରି ଜରିଆରେ ଜଳ ସମସ୍ୟା ଥିବା ଗାଁ ଓ ଅଞ୍ଚଳ ଚିହ୍ନଟ କରି ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ ସହିତ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ପାନୀୟ ଜଳ ସଙ୍କଟ ଥିବା ଅଂଚଳ ପାଇଁ ବୁଲିବ ‘ଜଳ ସଂପର୍କ’ ରଥ । ଯାହା ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ସଶକ୍ତ କରାଯିବା ସହିତ ସରକାରଙ୍କ ଦ୍ୱାରା ଜାରି ରହିଥିବା ଜୀବନଜୀବିକା କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କୁ ଏକ ଯୋଗସୂତ୍ର ଭାବେ ପରିଣତ କରାଯିବ । ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ ଓ ଶିକ୍ଷିତ କରିବାରେ ସେମାନେ ଗୁରୁଦାୟିତ୍ୱ ବହନ କରିବେ । ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମରେ ଲୋକଙ୍କୁ ଉପକୃତ କରିବାକୁ ବିଭିନ୍ନ ସରକାରୀ ବିଭାଗ ସହିତ ଖୋଲାଖୋଲି ଆଲୋଚନା, ମତ ବିନିମୟ ଓ ମିଳିତ ବୈଠକ ଉପରେ ଗୁରୁତ୍ୱ ଦିଆଯିବ । ଦାଦନ ସମସ୍ୟା ରୋକିବାକୁ ତଥା ଲୋକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇଦେବାକୁ ବ୍ଲକ ପ୍ରଶାସନର ନିଜସ୍ୱ କାର୍ଯ୍ୟକ୍ରମ ‘ମିଶନ ସୂର୍ଯ୍ୟୋଦୟ’କୁ ବ୍ୟାପକ କରାଯିବ । ପ୍ରତି ମାସରେ ପ୍ରତି ପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ସ୍ୱତନ୍ତ୍ର ଶିବିର ଆୟୋଜନ ପାଇଁ ପଦକ୍ଷେପ ନିଆଯିବ । ପଞ୍ଚାୟତରେ ନିଜସ୍ୱ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବା ସହିତ ସ୍ଥାୟୀ ସଂଶାଧନ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯିବ । ପଞ୍ଚାୟତର ସମସ୍ତ ଉନ୍ନତି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ମାସକୁ ଦୁଇଥର ପରସ୍ପର ମତବିନିମୟ କରାଯିବ । ପଞ୍ଚାୟତରେ ଥିବା ସମସ୍ତ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ସରପଞ୍ଚ ଦୃଷ୍ଟିପାତ କରିବେ । ଯୁବବର୍ଗଙ୍କୁ ମାର୍ଗଦର୍ଶନ ସହିତ ସ୍ୱେଚ୍ଛାକୃତ ଭାବେ ସେମାନଙ୍କୁ ସାମୁହିକ କାର୍ଯ୍ୟରେ ଯୋଗଦାନ ପାଇଁ ଉତ୍ସାହିତ କରାଯିବ । ଆବଶ୍ୟକସ୍ଥଳେ ଛଅମାସରେ ଥରେ ସେମାନଙ୍କ କ୍ୟାରିୟର କାଉନସେଲିଂ ପାଇଁ ପଦକ୍ଷେପ ନିଆଯିବ । ବିଭିନ୍ନ ବର୍ଗ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ଦଶଜଣିଆ ମୋ ପଞ୍ଚାୟତ ପରାମର୍ଶଦାତା କମିଟି ଗଠନ କରାଯିବ । ପଞ୍ଚାୟତର ସାମୁହିକ ଉନ୍ନତି ପାଇଁ ସେମାନଙ୍କ ପରାମର୍ଶ ନିଆଯିବା ସହିତ କମିଟି ସଦସ୍ୟ ନିୟମିତ ଅନ୍ତରରେ ମୋ ପଞ୍ଚାୟତ କାର୍ଯ୍ୟକ୍ରମର ସମୀକ୍ଷା, ଅନୁଧ୍ୟାନ ଓ ପରାମର୍ଶ ଦେବେ ।