ଓଏସ୍ଓୟୁ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ୱଲପୁର(ଓଏସ୍ଓୟୁ) ପକ୍ଷରୁ “ଜନସ୍ୱାସ୍ଥ୍ୟ ସେବା ଉପଲବ୍ଧତା ବୃଦ୍ଧି ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ” ଉନ୍ନତ ଭାରତ ଅଭିଯାନ ଯୋଜନା ଅଧିନରେ ଅନୁଷ୍ଠିତ ହୋଇଯାଇଛି । ୨୦୧୪ ମସିହାରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟମାନଙ୍କୁ ଗ୍ରାମାଞ୍ଚଳର ଲୋକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ କରିବା ସକାଶେ ଉନ୍ନତ ଭାରତ ଅଭିଯାନ ଯୋଜନାର ଆରମ୍ଭ କରିଥିଲେ । ଉନ୍ନତ ଭାରତ ଅଭିଯାନ ଯୋଜନା ଅଧିନରେ ଚାଲିଥିବା ଉପରୋକ୍ତ କାର୍ଯ୍ୟକ୍ରମପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୫ଟି ଗ୍ରାମ କରଡୋଲା, ସାହାଜବାହାଲ, ବଡସିଂହାରୀ, ସାନସିଂହାରୀ ଓ ଚାଉଁରପୁରକୁ ପୋଷ୍ୟ ରୂପେ ମନୋନୀତ କରିଛି । ଉପରୋକ୍ତ ପାଞ୍ଚୋଟି ଗ୍ରାମର ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସକାଶେ ପାନ୍ଥନିବାସ ସମ୍ୱଲପୁରରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅର୍କ କୁମାର ଦାସ ମହାପାତ୍ର ଯୋଗ ଦେଇ ତାଙ୍କ ଅଭିଭାଷଣରେ ସମାଜରେ ମହିଳାମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏ ଦିଗର ଯଥାସମ୍ଭବ କାର୍ଯ୍ୟ କରୁଛି ଓ ଭବିଷ୍ୟତରେ ମଧ୍ୟ ଅନେକ କାର୍ଯ୍ୟକ୍ରମ କରିବାର ଦୃଢ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଯୋଗ ଦେଇ ନିଜ ବକ୍ତବ୍ୟରେ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯିବା କଥା କହିବା ସହିତ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅର୍କ କୁମାର ଦାସ ମହାପାତ୍ରଙ୍କୁ ଭୂୟଶୀ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାସ ଯୋଗ ଦେଇ କୋଭିଡ଼ ପରିସ୍ଥିତିରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ତଥା ସେବାକୁ ଖୁବ ପ୍ରଂଶସା କରିବା ସହିତ ସେମାନଙ୍କ ସେବା ମନୋବୃତ୍ତିକୁ ନମନ କଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ତଥା ଜାତୀୟ ସ୍ୱାସ୍ଥ୍ୟ ପରିଚାଳକ ଡ. ମୌସୁମୀ ମିଶ୍ର ସମ୍ୱଲପୁର ଯୋଗଦେଇ ସମାଜକୁ ଉନ୍ନତି ପଥରେ ଆଗେଇନେବାରେ ନାରୀର ବିଶେଷ ଭୂମିକା ସମ୍ପର୍କରେ ଗଭୀର ଆଲୋକପାତ କଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଡ. ମାନସ ରଞ୍ଜନ ପୂଜାରୀ ନିଜ ବକ୍ତବ୍ୟରେ ଉକ୍ତ ପାଞ୍ଚୋଟି ଗାଁର ବିକାଶ ଦିଗରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଯୋଗଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କୁପୋଷଣ ,ଏନିମିଆ ଓ କୈଶୋର ଅବସ୍ଥା ସମ୍ପର୍କରେ ଜାତୀୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଅଶ୍ୱିନୀ କୁମାର ମହାନନ୍ଦ, ଜୟ କୁମାର ଭୋଇ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ପାଞ୍ଚୋଟି ଗାଁରୁ ୫୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.