ଖରାର ତେଜ ସହ ତାଳ ଦେଇ ବଢୁଛି କଳାହାଣ୍ଡିରେ ପାନୀୟ ଜଳ ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ପଶ୍ଚିମ ଓଡ଼ିଶା। ଅନେକ ସ୍ଥାନରେ ତାପମାତ୍ରା ୪୨° ଅତିକ୍ରମ କରିଥିବା ଜଣାପଡିଛି। ଏଥିରୁ ତ୍ରାହି ପାଇନାହିଁ କଳାହାଣ୍ଡି ଜିଲ୍ଲା। ଦିନ ୧୦ଟା ପରେ ରାସ୍ତାରେ ଯିବା ଆସିବା କାଠିକର ପାଠ ହୋଇ ପଡିଛି। ଲୋକେ ମୁଣ୍ଡରେ ଗାମୁଛା ଓ ସାଙ୍ଗରେ ଗୋଟିଏ ପାଣି ବୋତଲ ନ ଧରିଲେ ଘରୁ ବାହାରି ପାରୁ ନାହାନ୍ତି। ଆଗକୁ ଆହୁରି ୨ମାସ କାଳ ଖରା ଦିନ ବାକି ଅଛି। ତେବେ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରୀଷ୍ମ ଆରମ୍ଭରୁ ଜିଲ୍ଲାର ଲାଞ୍ଜିଗଡ, ଥୁଆମୂଲ ରାମପୁର, ନର୍ଲା, ମଦନପୁର ରାମପୁର, କର୍ଲାମୁଣ୍ଡା, ଜୟପାଟଣା, ଧର୍ମଗଡ, କୋକସରା, କେସିଙ୍ଗା, ଭବାନୀପାଟଣା, ଜୁନାଗଡ, କଲମପୁର, ଗୋଲାମୁଣ୍ଡା ଆଦି ଅଞ୍ଚଳର କେତେକ ସ୍ଥାନରେ ଜଳ କଷ୍ଟ ଅନୁଭୂତ ହେଉଛି। ପାନୀୟ ଜଳ ସଂକଟ ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜବାଗାଁ ପରି ଅନେକ ସ୍ଥାନରେ ଲୋକେ ନଈ ନାଳ ଝରଣାର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ଗ୍ରୀଷ୍ମ ଆରମ୍ଭରୁ ଅଚଳ ନଳକୂପ ମରାମତି କରାଯିବା କଥା, କିନ୍ତୁ ଅନେକ ସ୍ଥାନରେ ପଞ୍ଚାୟତ କତୃପକ୍ଷ ଏବଂ ସଂପୃକ୍ତ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଗତବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇଛି, ତେଣୁ ଆଗକୁ ଏହା ଉତ୍କଟ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଠିକାଦାର ଓ ସରକାରୀ ବାବୁ ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଅନେକ ସ୍ଥାନରେ ବସୁଧା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଜିଲ୍ଲାର ଅନେକ ସ୍ଥାନରେ ସୋଲାର ପାଣି ଟାଙ୍କି ପାନୀୟ ଜଳ ଯୋଗାଣ ପାଇଁ ସ୍ଥାପନ କରାଯାଇଛି। ଯାହା ଫଳରେ ଲୋକେ ସୁବିଧାରେ ପାନୀୟ ଜଳ ବ୍ୟବହାର କରୁଥିଲେ ମଧ୍ୟ ଅସୁବିଧା ମଧ୍ୟ ଭୋଗୁଛନ୍ତି। କାରଣ ଏହି ସୋଲାର ପାଣି ଟାଙ୍କିକୁ ପାଣି ଯୋଗାଇବା ପାଇଁ ନଳକୂପ ମାନଙ୍କ ଠାରେ ହିଁ ପାଣି ଉଠାଇବା ପାଇଁ ମୋଟର ସଂଯୋଗ କରାଯାଇଛି। ସୋଲାର ପମ୍ପ ଦ୍ବାରା ପାଣି ଟାଙ୍କିକୁ ଯିବା ଦ୍ବାରା ନଳକୂପର ଜଳସ୍ତର କମି ଯାଉଛି। ଯାହା ଫଳରେ ଅନେକ ସ୍ଥାନର ନଳକୂପ ଅଚଳ ଅବସ୍ଥାରେ ପଡି ରହିଛି। ସୋଲାରର ଯାନ୍ତ୍ରିକ ତ୍ରୁଟି ହେଲେ ସେହି ଅଞ୍ଚଳରେ ପାନୀୟ ଜଳର ସଙ୍କଟ ଦେଖା ଦେଉଛି। ମାସ ମାସ ଧରି ଅଚଳ ହୋଇ ପଡି ରହିଥିବା ନଳକୂପରେ ପାଇପ କାର୍ବନ ହୋଇ ପାଣି ବାହାରୁ ନଥିବା ଲୋକେ କହୁଛନ୍ତି। ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ସୋଲାର ଯାନ୍ତ୍ରିକ ତ୍ରୁଟି କି ମୋଟର ପ୍ରତି ଦୃଷ୍ଟି ନଦେଲେ ଆହୁରି ଅଧିକ ପାନୀୟ ଜଳର ସଙ୍କଟ ଦେଖା ଦେବାର ସମ୍ଭାବନା ରହିଛି ବୋଲି ଅଞ୍ଚଳବାସୀମାନେ ପ୍ରକାଶ କରି ଥିବା ବେଳେ ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଗ୍ରୀଷ୍ମର ଉତ୍ତପ ସାଙ୍ଗକୁ ପାନୀୟ ଜଳ ସମସ୍ୟା ଲାଗି ରହିଥିବାବେଳେ ଗାଇ ଗୋରୁ ଏବଂ ଜଙ୍ଗଲି ଜୀବଜନ୍ତୁ ମଧ୍ୟ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଥିବା ଜଣାପଡିଛି। ଅନ୍ୟ ବର୍ଷମାନଙ୍କରେ ବୁଲା ଗାଇ ଗୋରୁଙ୍କ ପାଇଁ ଜଳ କୁଣ୍ଡର ବ୍ୟବସ୍ଥା କରାଯାଉଥିବା ବେଳେ ଏବର୍ଷ ହୋଇନାହିଁ। ଗାଁର ନଳକୂପ ପାର୍ଶ୍ଵରେ ଜଳକୁଣ୍ଡ ସବୁ ନିର୍ମାଣ ହେଲେ ଗାଇ ଗୋରୁ ପାଣି ମୁନ୍ଦାଏ ପାଇ ପାରନ୍ତେ। ଅନ୍ୟପକ୍ଷରେ ଜଙ୍ଗଲି ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବଣ ଭିତରେ ଜଳାଶୟ ନିର୍ମାଣ/ପୁନଃରୁଦ୍ଧାର ଜରୁରୀ ହୋଇପଡିଛି। ପ୍ରତି ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରଶାସନ ତରଫରୁ ଜଳ ଛାତ୍ର ଖୋଳାଯାଇଥିବା ବେଳେ ଏବର୍ଷ ଅନେକ ସ୍ଥାନରେ ଏହା ଆରମ୍ଭ ହୋଇନାହିଁ। ତେଣୁ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକିୟ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିଲେ ସାଧାରଣ ଜନତା ଉପକୃତ ହୋଇପାରନ୍ତେ। ତେଣୁ ପ୍ରଶାସନ ଏସବୁ ଦିଗରେ ବିହିତ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.