ଅସହ୍ୟ ତାତିରେ ଅଂଶୁଘାତ ଚିନ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ବର୍ଷର ବର୍ଷାଭାବ ସାଙ୍ଗକୁ ଏଥର ପ୍ରଚଣ୍ଡ ରୌଦ୍ରତାପ ହେତୁ କଳାହାଣ୍ଡି ଜିଲ୍ଲାର ଅନେକ ପୋଖରୀ, କଟା ଏବଂ ଜଳାଶୟ ପ୍ରାୟତଃ ଶୁଖି ଗଲାଣି। ନଳକୂପ ଗୁଡିକ ମଧ୍ୟରୁ କିଛିି ଅଚଳ ହୋଇ ରହିଥିବା ବେଳେ କାର୍ଯ୍ୟକ୍ଷମ ନଳକୂପ ଗୁଡିକରୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ଜଳ ମିଳୁନାହିଁ। ଭୂତଳ ଜଳସ୍ତର ବହୁ ତଳକୁ ଖସି ଯାଇଥିବା ହେତୁ ବହୁ ନଳକୂପ ଅଳ୍ପ ସମୟ ବ୍ୟବହାର ପରେ ଶୁଖି ଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲାର ୧୩ଟି ବ୍ଲକର ଗ୍ରାମାଞ୍ଚଳରେ ମଧ୍ୟ ଜଳକଷ୍ଟ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲେ ମଧ୍ୟ କେତେକ ଲାଭଖୋର ନିର୍ମାଣକାରୀ ସଂସ୍ଥା ଏବଂ ଅସାଧୁ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅନେକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ରହିଥିବା ସହ ବହୁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି। ସେଗୁଡିକ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏଣେ ଗ୍ରାମାଞ୍ଚଳରେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ବନ୍ଧ, ପୋଖରୀ ଶୁଖି ଯାଇଥିବାରୁ ଗୃହପାଳିତ ପଶୁମାନେ ମଧ୍ୟ ଜଳ ବିନା ତ୍ରାହି ତ୍ରାହି ଡାକିଲେଣି। ଏପଟେ ଅନେକ ସ୍ଥାନରେ ଜଳଛତ୍ର ଖୋଲାଯାଇ ନଥିବାରୁ ପଥିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳ ବିହୁନେ ସୃଷ୍ଟି ନାଶ ନ୍ୟାୟରେ କୌଣସି ଅମୂଲ୍ୟ ଜୀବନ ହାନି ଘଟିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ସାଙ୍ଗକୁ ପାନୀୟ ଜଳର ଅଭାବ ପୂରଣ ଦିଗରେ ପ୍ରଶାସନ ଯତ୍ନବାନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.