ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡିରେ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ହେବାକୁ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତିର ଅଭାବ ଓ କାମଧନ୍ଦା ମିଳୁନଥିବାରୁ ଜିଲ୍ଲାର ହଜାର ହଜାର ଲୋକ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏମାନେ ସେଠାରେ ନିର୍ଯ୍ୟାତିତ ହେବାସହ ଶୋଷଣର ଶିକାର ହେଉଛନ୍ତି। କଳାହାଣ୍ଡିରେ ଦାଦନ ମୃତ୍ୟୁହାର ମଧ୍ୟ ବଢିବାରେ ଲାଗିଛି। ସରକାର ସ୍ଥାନୀୟ ଅଞ୍ଚଳରେ ଠିକ୍ ଭାବରେ କାମଧନ୍ଦା ଯୋଗାଇ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା। ଏହି ଦାଦନ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡିଛନ୍ତି କେସିଙ୍ଗା ବ୍ଲକ ବାହାଦୁର ପଦର ଗ୍ରାମର ଯୁବ ସମାଜସେବୀ ମହିପାଳ ପୋଢ। ଆଜି ମଇ ୫ ତାରିଖ ରବିବାର କେସିଙ୍ଗା ସହରରୁ ଭବାନୀପାଟଣା ଅଭିମୁଖେ ଆରମ୍ଭ ହୋଇଛି ପଦଯାତ୍ରା। ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରାରେ ମହିପାଳ ପୋଢଙ୍କ ସମେତ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି ଗୋବିନ୍ଦ ବନଛୋର, କାଉନସିଲର ପ୍ରକାଶ ବଛୋର, ଯୁବ ସମାଜସେବୀ ମିଥୁନ ବଗର୍ତ୍ତି, ଚମ୍ପକ ସାହା, ସୁଶାନ୍ତ ସାହା, ପ୍ରଭାକର ବନଛୋର, ସୁଦାମ ଚନ୍ଦନ, ପିନାକି ମାଝୀ, ନରେଶ ସାହା, ଶିବା ସାହା, ଗଜାନନ ବନଛୋର ପ୍ରମୁଖ ସାମିଲ ହୋଇଛନ୍ତି।