ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ ପକ୍ଷରୁ ଭୁବନେଶ୍ୱରସ୍ଥ ରାଜଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ପୁରସ୍କୃତ ହୋଇଛି କଳାହାଣ୍ଡି ଜିଲ୍ଲା। ଏହି ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି। କଳାହାଣ୍ଡି ଭାରତ ସ୍କାଉଟ ଓ ଗାଇଡ଼ ମୁଖ୍ୟ କମିଶନର ତଥା ଡିଇଓ ସୁଶାନ୍ତ ଚୋପଦାର ଏବଂ ଜିଲ୍ଲା ସମ୍ପାଦକ ମହେନ୍ଦ୍ର ପଣ୍ଡା ରାଜ୍ୟପାଳଙ୍କ ହାତରୁ ପୁରସ୍କାର ସ୍ୱରୂପ ମାନପତ୍ର ଗ୍ରହଣ କରିଥିଲେ। ଏଥି ସହ ଜିଲ୍ଲାର ୩୬ ଜଣ ଛାତ୍ର ଓ ୭ ଜଣ ଛାତ୍ରୀ ମଧ୍ୟ ରାଜ୍ୟ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଭାରତ ସ୍କାଉଟ ଓ ଗାଇଡ଼ ପକ୍ଷରୁ ନିରନ୍ତର ଶିବିର ଆୟୋଜିତ ହୋଇଆସୁଥିଲା। ତେବେ ମୁଖ୍ୟ କମିଶନର ଶ୍ରୀ ଚୋପଦାରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଚାରିତ୍ରିକ ବିକାଶ, ବ୍ୟକ୍ତିତ୍ୱ ନିର୍ମାଣ ତଥା ସେବା ମନୋଭାବ ଜାଗ୍ରତ ପାଇଁ ଅଭିନବ କାର୍ଯ୍ୟକ୍ରମ ଆୟୋଜନ ଜିଲ୍ଲାରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଥିଲା। ଏହା ଭାରତ ସ୍କାଉଟ କ୍ଷେତ୍ରରେ ଏକ ଜାଗରଣ ସହ ରାଜ୍ୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଫଳସ୍ୱରୂପ କଳାହାଣ୍ଡି ଜିଲ୍ଲାକୁ ମିଳିଲା ରାଜ୍ୟ ପୁରସ୍କାର। ଜିଲ୍ଲା ସ୍କାଉଟ ଗାଇଡ଼ର ଏ ସଫଳତାରେ ଜିଲ୍ଲା ପାଇଁ ଖୁସିର ମାହୋଲ ଆଣିଦେଇଛି।