ଜିଏମୟୁ ରେ ଶବ୍ଦଗଙ୍ଗାର ଦ୍ବିତୀୟ ବାର୍ଷିକ ବିଶେଷାଙ୍କ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମାସିକ ସାରସ୍ଵତ ଅନ୍‌ଲାଇନ୍ ମୁଖପତ୍ର “ଶବ୍ଦଗଙ୍ଗା”ର ପଚିଶିତମ ସଂଖ୍ୟା ତଥା ଦ୍ଵିତୀୟ ବାର୍ଷିକ ବିଶେଷାଙ୍କ(ଜୁନ-୨୦୨୨) ଲୋକାର୍ପିତ ହୋଇଛି । ବିଭାଗ ମୁଖ୍ୟ ଡ଼. ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକାର୍ପିତ ସଭାରେ କୁଳପତି ପ୍ରଫେସର ଏନ୍‌.ନାଗାରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶବ୍ଦଗଙ୍ଗା”ର ଦ୍ଵିତୀୟ ସ୍ଵନକ୍ଷତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସାରସ୍ଵତ କାର୍ଯ୍ୟାବଳୀକୁ ଉଚ୍ଚ ପ୍ରଶଂସା କରିବା ସହ “ଶବ୍ଦଗଙ୍ଗା”ର ଦୀର୍ଘ ଯାତ୍ରା କାମନା କରିଥିଲେ । କୁଳସଚିବ ଯୁଗଳେଶ୍ୱରୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଶବ୍ଦଗଙ୍ଗା’ର ସାମଗ୍ରିକ କୃତି ଓ ସାରସ୍ଵତ ଭୂମିକା ସମ୍ପର୍କରେ ବକ୍ତବ୍ୟ ପରିବେଷଣ କରିଥିଲେ । କୁଳସଚିବ ଡ. ଉମାଚରଣ ପତି ଓଡ଼ିଆ ବିଭାଗ ସମେତ ‘ଶବ୍ଦଗଙ୍ଗା’ର ସଫଳତାକୁ ପ୍ରଶଂସା କରି ସମଗ୍ର ବିଶ୍ଵବିଦ୍ୟାଳୟକୁ ଏହାର ସାରସ୍ଵତ ସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ କରିଥିଲେ । ବିଶ୍ଵବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ କନକଲତା ଏକ୍କା, ପୂର୍ବତନ ବିତ୍ତ ନିୟନ୍ତ୍ରକ ତଥା ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ଶ୍ୟାମାଚରଣ ଆଚାର୍ଯ୍ୟ ଓ ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ହେମକୁମାର ନାଏକ ‘ଶବ୍ଦଗଙ୍ଗା’ର ଭୂୟୋସୀ ପ୍ରଶଂସା କରିଥିଲେ । ବିଭାଗମୁଖ୍ୟ ବାର୍ଷିକ ବିବରଣୀ ପାଠ କରିବା ସହ ‘ଶବ୍ଦଗଙ୍ଗା’ର ଉପାଦେୟତା ସାହିତ୍ୟିକ ମୂଲ୍ୟ ଓ ଏହାର ସାରସ୍ଵତ ପ୍ରଭାବ ସମ୍ପର୍କରେ ଓଜଃସ୍ଵିନୀ ବକ୍ତବ୍ୟ ରଖିଥିଲେ । ଏହି ସଂଖ୍ୟାର ଅତିଥି କବି ଭାବରେ ଝାରସୁଗୁଡ଼ା ପଥିତ ଯଶା କବି ଅଧ୍ୟାପକ ହେମନ୍ତ କୁମାର ପଟେଲ ଆଭାଷୀ ମାଧ୍ୟମରେ ଯୋଡ଼ି ହୋଇ ସ୍ବରଚିତ କବିତା ଆବୃତ୍ତି ସହ ଓଡ଼ିଆ ଭାଷା ସାହିତ୍ୟର ଜୟଗାନ କରିଥିଲେ । ଉକ୍ତ ଲୋକାର୍ପଣ ସଭାରେ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଗବେଷିକାଙ୍କ ସମେତ ‘ଶବ୍ଦଗଙ୍ଗା’ର ସମ୍ପାଦକମଣ୍ଡଳୀ ଉପସ୍ଥିତ ରହି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ଅଧ୍ୟାପକ ଡ. ପରୀଖିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.